ଭାରତ ଓ ଆମେରିକା ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ମାନିଲା ହାଫିଜ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତର ଶକ୍ତି ବୃଦ୍ଧି ପାଉଥିବା ବେଳେ ଆମେରିକାର ଚାପ ପାକିସ୍ତାନକୁ ଚିନ୍ତିତ କରି ପକାଇଛି। ନିଜର ସ୍ଥିତି ସୁଧାରିବାକୁ ପାକିସ୍ତାନ ସତଚେଷ୍ଟା ଚଳାଇଛି। ହେଲେ ଆତଙ୍କବାଦୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ କିଛି ବି ସହଯୋଗ ମିଳିବ ନାହିଁ ବୋଲି ଆମେରିକା କହିବା ପରେ ପାକିସ୍ତାନର ଅକଲ୍‌ ଗୁଡମ୍‌ ହୋଇଯାଇଛି। ଏବେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରିବା ପରି ଲାଗୁଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଏକ କଠୋର ନିଷ୍ପତ୍ତି ନେଇଛି, ଯାହା ମୋଷ୍ଟ ୱାଣ୍ଟେଡ ହାଫିଜ ସହିଦ ପାଇଁ ଚିନ୍ତା ବଢ଼ାଇ ଦେଇପାରେ। ପାକିସ୍ତାନ ରାଷ୍ଟ୍ରପତି ମମନୁନ ହୁସେନ୍‌ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ଦ୍ୱାରା ପ୍ରତିବନ୍ଧିତ ବ୍ୟକ୍ତି ଏବଂ ଲଶ୍କର-ଏ-ତୋଏବା, ଅଲକଏଦା ଓ ତାଲିବାନ ପରି ସଂଗଠନ ଉପରେ ଲଗାମ ଲଗାବା। ଏପରି ସ୍ଥିତିରେ ପାକିସ୍ତାନ ସିଧାସଳଖ ନହେଲେ ମଧ୍ୟ ହାଫିଜ୍‌କୁ ଆତଙ୍କବାଦୀ ବୋଲି ମାନିଛି।

ଏହି ଅଧ୍ୟାଦେଶ ଆତଙ୍କବାଦ ନିରୋଧ ଅଧିନିୟମ (ଏଟିଏ)ର ଏକ ଧାରାରେ ସଂଶୋଧନ କରୁଛି। ଯାହା ଅଧିକାରୀଙ୍କୁ ୟୁଏନ୍‌ଏସ୍‌ସି ଦ୍ୱାରା ପ୍ରତିବନ୍ଧିତ ବ୍ୟକ୍ତି ଓ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସେମାନଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ ଖାତା ସିଲ୍‌ କରିବାକୁ କ୍ଷମତା ପ୍ରଦାନ କରୁଛି।

ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ପ୍ରାଧିକରଣ (ଏନ୍‌ଏସିଟିଏ) ଏହି ନୂଆ ପଦକ୍ଷେପକୁ ପୁଷ୍ଟି କରି କହିଛି, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦେଶ ମନ୍ତ୍ରୀ ଏବଂ ଏନ୍‌ଏସିଟିଏ ମିଳିତ ଭାବେ ଏହା ଉପରେ କାମ କରିବେ।

ସୂଚନାଯୋଗ୍ୟ, ୟୁଏନ୍‌ଏସ୍‌ସି ଦ୍ୱାରା ପ୍ରତିବନ୍ଧିତ ସୂଚୀରେ ଅଲକଏଦା, ତହରିକ-ଏ-ତାଲିବାନ ପାକିସ୍ତାନ, ଲଶ୍କର-ଏ-ଝାଙ୍ଗବି, ଜମାନ-ଉଦ୍‌-ଦାୱା, ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ୍‌ (ଏଫ୍‌ଆଇଏଫ୍‌), ଲଶ୍କର-ଏ-ତୋଏବା ଓ ଅନ୍ୟ କିଛି ସଂଗଠନ ରହିଛନ୍ତି।