ନାଭିଦ ମୁଖତାର ଆଇଏସଆଇର ନୂଆ ମୁଖ୍ୟ

ଇସଲାମାବାଦ: ପିଓକେରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସେନାର ପଦବୀରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ଚିଫ୍‌, ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍‌ ଏବଂ ଡିଜି ରେଞ୍ଜର୍ସ ସହିତ ୧୦ଟି ଅଫିସରମାନଙ୍କ କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି। ଲେପ୍ଟନାଣ୍ଟ ଜେନେରାଲ ନାଭିଦ ମୁଖତାରଙ୍କୁ ଆଇଏସଆଇର ନୂଆ ମୁଖିଆର ଦାୟିତ୍ୱ ଦିଆଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ରିଜୱାନ୍‌ ଅଖତରଙ୍କ ସ୍ଥାନରେ କାମ କରିବେ।

ଏହିପରି ଲେପ୍ଟନାଣ୍ଟ ଜେନେରାଲ ବିଲାଲ ଅକବରଙ୍କୁ ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍‌ ପଦ ଦିଆଯାଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଆଇଏସପିଆର୍‌ଙ୍କ ଡିଜି ଲେପ୍ଟନାଣ୍ଟ ଜେନେରାଲ ଆସୀମ ସଲିମ୍‌ଙ୍କୁ ସେନା ମୁଖ୍ୟାଳୟରେ ଆଇଜି ପଦବୀ ଦିଆଯାଇଛି।

ପାକିସ୍ତାନ ସେନାର ପଦବୀରେ ଏହି ପରିବର୍ତ୍ତନ ନୂଆ ଆର୍ମି ଚିଫ୍‌ ଜେନେରାଲ କମର ଯାୱେଦ ବାଜବାଙ୍କ ନିଯୁକ୍ତିର ଦୁଇ ସପ୍ତାହ ପରେ କରାଯାଇଛି।