ଆଇସିଜେ ଫଇସଲା ମାନିବ ପାକ, କିନ୍ତୁ ସମୀକ୍ଷା ତାରିଖକୁ ନେଇ ଏବେ ବି ଚୁପ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ସ୍ପଷ୍ଟ ରୂପେ ଭାରତ ସପକ୍ଷରେ ଯାଇଛି। ଆଇସିଜେର ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ଶୁଣାଇଥିଲେ। ତେବେ ପାକିସ୍ତାନ ସରକାର ଆଇସିଜେର ସମସ୍ତ ନିର୍ଦ୍ଦେଶ ପାଳନ କରିବେ ବୋଲି ଜଣାପଡ଼ିଛି।

ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଦେବାକୁ କହିଛନ୍ତି। ଅର୍ଥାତ ଭାରତୀୟ ହାଇକମିଶନର ଅଧିକାରୀ କୁଲଭୂଷଣଙ୍କୁ ଭେଟି ପାରିବେ। ଏଭଳି ସ୍ଥିତିରେ ପାକିସ୍ତାନ କୁଲଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଦେବ ଏବଂ ଏହି ମାମଲାର ପୁନଃ ସମୀକ୍ଷା କରିବାକୁ ପଡ଼ିବ।

ଯାଦବଙ୍କ ବିଚାର ଏବେ ଇସ୍‌ଲାମାବାଦ ହାଇକୋର୍ଟରେ ହେବ। କିନ୍ତୁ କେବେ ଶୁଣାଣି ହେବ, ସେକଥା ଆଇସିଜେ କହି ନଥିବାରୁ ପାକିସ୍ତାନ ମଧ୍ୟ ଏହାକୁ ନେଇ ଚୁପ ରହିଛି। ପାକିସ୍ତାନ ଏବେ ଯାଦବଙ୍କୁ ଏକ ଅଜଣା ସ୍ଥାନରେ ରଖିଛି।

ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ଆଇସିଜେ ରାୟ ଦେଇଥିଲେ ହେଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଇସ୍‌ଲାମାବାଦର ବିଜୟ ହୋଇଥିବା ଦାବି କରିଛନ୍ତି। ଇମ୍ରାନ୍‌ ଟ୍ୱିଟ କରି କହିଛନ୍ତି, “ଆମେ ଆଇସିଜେର ରାୟକୁ ଗ୍ରହଣ କରିବା ସହ ପସନ୍ଦ କରୁଛୁ।

ଆଇସିଜେ କମାଣ୍ଡର କୁଲଭୂଷଣଙ୍କୁ ଛାଡ଼ିଦେବାକୁ କିମ୍ବା ଦୋଷମୁକ୍ତ କରିବାକୁ କହିନାହାନ୍ତି। ସେ ପାକିସ୍ତାନର ଲୋକଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ଆମେ ଆଇନ୍‌ ଅନୁସାରେ କାର୍ଯ୍ୟ କରିବୁ।”

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡକ୍ଟର ମହମ୍ମଦ ଫୈଜଲ କହିଛନ୍ତି, “ଆଇସିଜେଙ୍କ ରାୟ ଭାରତ ପାଇଁ ଭଲ ହୋଇଥାଏ ପାରେ। କିନ୍ତୁ ଆମ ପାଇଁ ଏହା ବହୁତ ଭଲ। କାରଣ କୁଲ ଭୂଷଣ ଯାଦବ ଭାରତ ଯିବନାହିଁ। ତା’ର ଶୁଣାଣି ପାକିସ୍ତାନର ଅଦାଲତରେ ହିଁ ହେବ।”