ଚାଇନା ସହାୟତାରେ ମହାକାଶକୁ ମାନବ ପଠାଇବ ପାକିସ୍ତାନ

ଇସ୍‌ଲାମାବାଦ: ମହାକାଶରେ ଭାରତ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଥିବା ଦେଖି ଏବେ ପାକିସ୍ତାନ ମଧ୍ୟ ମହାକାଶ ଅଭିଯାନ ପ୍ରତି ଆଗ୍ରହ ଦେଖାଇଛି। ଭାରତ ପରି ପାକିସ୍ତାନ ମଧ୍ୟ ୨୦୨୨ରେ ପ୍ରଥମଥର ପାଇଁ ମହାକାଶକୁ ନିଜର ଜଣେ ମହାକାଶଚାରୀଙ୍କୁ ପଠାଇବ ବୋଲି ଆଜି ଘୋଷଣା କରିଛି।

ତେବେ ଏଥିପାଇଁ ନିଜ ଦେଶରେ କୌଣସି ଭିତ୍ତିଭୂମି ନଥିବାରୁ ପାକିସ୍ତାନ ଚାଇନା ସହାୟତାରେ ଏହା କରିବାକୁ ଚାହୁଁଛି। ଅର୍ଥାତ ଚାଇନାର ରକେଟ ଉତକ୍ଷେପଣ ବ୍ୟବସ୍ଥାକୁ ବ୍ୟବହାର କରି ପାକିସ୍ତାନ ନିଜ ଦେଶର ନାଗରିକଙ୍କୁ ମହାକାଶକୁ ପଠାଇବ।

ଭାରତ ନିକଟରେ ଚନ୍ଦ୍ରଯାନ-୨କୁ ଚନ୍ଦ୍ର ଅଭିମୁଖେ ପଠାଇବା ପରେ ପାକିସ୍ତାନ ଏଭଳି ଘୋଷଣା କରିଛି। ପାକିସ୍ତାନର ବିଜ୍ଞାନ ଓ ଟେକ୍ନୋଲଜି ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି,“୨୦୨୦ ସୁଦ୍ଧା ଆମ ମହାକାଶ ମିଶନ ଆରମ୍ଭ ହେବ। ଆମେ ଗର୍ବର ସହ କହିବାକୁ ଚାହୁଁଛୁ ଯେ ପାକିସ୍ତାନ ମହାକାଶକୁ ପ୍ରଥମଥର ପାଇଁ ଜଣେ ମହାକାଶଚାରୀଙ୍କୁ ପଠାଇବ।

ଏହି ପ୍ରକ୍ରିୟା ୨୦୨୦ ଫେବୃଆରୀ ମାସରୁ ଆରମ୍ଭ ହେବ। ୫୦ ଜଣଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯିବ। ଏହାପରେ ଏହା ୨୫କୁ ହ୍ରାସ ପାଇବ। ଶେଷରେ ୨୦୨୨ରେ ପାକିସ୍ତାନ ତା’ର ପ୍ରଥମ ନାଗରିକଙ୍କୁ ମହାକାଶକୁ ପଠାଇବ। ଏହା ଆମ ଦେଶର ସବୁଠାରୁ ବଡ଼ ମହାକାଶ ଅଭିଯାନ। ମହାକାଶଚାରୀ ଚୟନ ପ୍ରକ୍ରିୟାରେ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରିବ।”