ପୂଜକ ହୋଇ ମନ୍ଦିରରେ ରଚୁଥିଲା ଭାରତ ବିରୋଧୀ ଷଡ଼ଯନ୍ତ୍ର: ପଢ଼ନ୍ତୁ କେମିତି ଧରା ପଡ଼ିଲା ପାକିସ୍ତାନୀ ଏଜେଣ୍ଟ୍‌…

ରୋହତକ: ଭାରତରେ ଲସ୍କରର ୨୦ ଆତଙ୍କବାଦୀ ଅନୁପ୍ରବେଶ କରିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ତକ ହୋଇ ଉଠିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ସ୍ଥାନରେ ଚଢାଉ କରି ଆତଙ୍କବାଦୀଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି ପୋଲିସ। ତେବେ ଏହି ଚଢାଉ ଭିତରେ ହରିୟାଣା ପୋଲିସକୁ ମିଳିଛି ବଡ ସଫଳତା। ପୋଲିସ ହାତରେ ଧରାପଡିଛି ରସ୍‌ରାଜ ଦାସ ରାଜପୁତ ଭଳି ବହୁରୂପୀ ପାକିସ୍ତାନୀ ଆଇଏସ୍ଆଇ ଏଜେଣ୍ଟ।

ରସ୍‌ରାଜ ଦାସ ରାଜପୁତ। ବାହାଦୂରଗଡ ଇସ୍କନ୍ ମନ୍ଦିରର ପୂଜକ। ନାମ ପାଇଛି ଭାରତର କିନ୍ତୁ କାମ କରୁଛି ପାକିସ୍ତାନର। ଭିନ୍ନ ଏକ ଷ୍ଟାଇଲରେ ପାକିସ୍ତାନ ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରୁଥିଲା ରସ୍‌ରାଜ । ଗେରୁଆ ବସ୍ତ୍ର ତଳେ ସେ ଲୁଚାଇ ରଖିଥିଲା ନିଜର ପରିଚୟ। ଦୀର୍ଘ ୯ ମାସ ଧରି  ଲୋକଙ୍କ ନଜରରେ ଧୂଳି ଦେଇ ଆସୁଥିଲା ରସ୍‌ରାଜ । ତେବେ ଚୋର ଘର ସବୁବେଳେ ଅନ୍ଧାର ରହେନି। ଗୁଇନ୍ଦା ସୂଚନା ବଳରେ ଗୁରବାର ପୋଲିସ ଉଠାଇ ନେଇଥିଲା ରସ୍‌ରାଜଙ୍କୁ। ଆଉ ରସ୍‌ରାଜଙ୍କ ପାଖରୁ ପୋଲିସ ପାଇଥିଲା ପାକିସ୍ତାନ ପାସପୋର୍ଟ।  ବାସ୍ ଏହାପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଥିଲା। ରସ୍‌ରାଜର ଅସଲି ଚେହେରା ଆସିଥିଲା ଲୋକଙ୍କ ସାମ୍ନାକୁ। ଏହି ପୂଜକଙ୍କ ଅସଲି ପରିଚୟ ଜାଣିବା ପରେ ତାଜୁବ ହୋଇ ଯାଇଥିଲେ ସାଧାରଣ ଲୋକେ।

ପାସପୋର୍ଟରେ ଥିବା ସୂଚନା ମୁତାବିକ ରସ୍‌ରାଜଙ୍କ ପ୍ରକୃତ ନାମ ରାଜା। ଠିକଣା ଥିଲା ପାକିସ୍ତାନ ଲରକାନାର ହିନ୍ଦୁ କଲୋନୀ। ୨୦୧୩ରେ ସେ ଆସିଥିଲେ ଭାରତକୁ। ମାତ୍ର ୩୩ ଦିନ ପାଇଁ ଭାରତରେ ରହିବାକୁ ଅନୁମତି ମଳିଥିଲା ରାଜାଙ୍କୁ। କିନ୍ତୁ ଭାରତ ବିରୋଧରେ ଗୁଇନ୍ଦାଗିରି କରିବାର ଲକ୍ଷ୍ୟ ଅଟକାଇ ଦେଇଥିଲା ରାଜାକୁ। ଏହା ଭିତରେ ସେ ଭାରତରେ ରହି ପ୍ୟାନ କାର୍ଡ, ଭୋଟର କାର୍ଡ ଏବଂ ଇସ୍କନ ମନ୍ଦିର ଠିକଣାରେ ଆଧାର କାର୍ଡ ମଧ୍ୟ ବାହାର କରି ସାରିଥିଲା। ମନ୍ଦିର ଭଳି ଧାର୍ମିକ ସ୍ଥଳରେ ରହି ରଚୁଥିଲା ଭାରତ ବିରୋଧରେ ଷଡ଼ଯନ୍ତ୍ର। ଆଇବିର ଅଧିକାରୀ ରାଜାକୁ ପଚରା ଉଚରା କରୁଥିବା ବେଳେ ରସରାଜ୍ ନିଜକୁ ହିନ୍ଦୁ ବୋଲି ଗଣମାଧ୍ୟମକୁ କହିଛି।