ପାକିସ୍ତାନ କୂଟନୀତିଜ୍ଞଙ୍କୁ ଓ୍ୱାଣ୍ଟେଡ୍ ଘୋଷଣା କଲା ଭାରତୀୟ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଏନ୍ଆଇଏର ଓ୍ୱାଣ୍ଟେଡ୍ ତାଲିକାରେ ପାକିସ୍ତାନର କୂଟନୀତିଜ୍ଞ। ପ୍ରଥମ ଥର ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଭାରତର କୌଣସି ସଂସ୍ଥା ଓ୍ୱାଣ୍ଟେଡ ବୋଲି ଘୋଷଣା କରିଛି। ତାଙ୍କ ନାଁ ଅମିର ଜୁବୈର ସିଦ୍ଦିକି।  ୨୦୦୯ରୁ ୨୦୧୬ ମଧ୍ୟରେ ସେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଅବସ୍ଥାପିତ ଥିଲେ।

ଏନ୍ଆଇଏର ଚାର୍ଜସିଟ ଅନୁସାରେ ୨୦୧୪ରେ ଚେନ୍ନାଇରେ ଥିବା ଆମେରିକାର କନସୁଲେଟ୍, ବେଙ୍ଗୁଲୁରୁରେ ଥିବା ଇସ୍ରାଏଲ୍‌ର କନ୍‌ସୁଲେଟ, ବିଖାଖାପାଟଣାରେ ଥିବା ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଓ ଅନ୍ୟ କେତେକ ବନ୍ଦରରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର କରିଥିଲେ ସିଦ୍ଦିକି। ଏଥିପାଇଁ ଶ୍ରୀଲଙ୍କାର କେତେକ ନାଗରିକଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି କରିଥିଲେ। ସେମାନେ ଧରାପଡ଼ିବା ପରେ ଏହି ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‌ ହୋଇଥିଲା।  ଏଥିରେ ସିଦ୍ଦିକିଙ୍କ ସହିତ ପାକିସ୍ତାନର ଆଉ ଜଣେ କୂଟନୀତିଜ୍ଞ ଓ ଦୁଇ ଗୁଇନ୍ଦା ଅଧିକାରୀ ସାମିଲ ଥିଲେ। ଏନ୍ଆଇଏ ସେମାନଙ୍କ ପରିଚୟ ପ୍ରକାଶ କରିନାହିଁ।

ଏନ୍ଆଇଏ ସିଦ୍ଦିକିଙ୍କ ଫଟୋ ଜାରି କରି ତାଙ୍କ ବିଷୟରେ କୌଣସି ସୂଚନା ପାଇଲେ ସେ ସଂପର୍କରେ ଜଣାଇବାକୁ କହିଛି। ସଂପୃକ୍ତ ପାକିସ୍ତାନୀ କୂଟନୀତିଜ୍ଞଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ପାଇଁ ଇଣ୍ଟରପୋଲରକୁ ମଧ୍ୟ  ଏନ୍ଆଇଏ ଅନୁରୋଧ କରିବ ବୋଲି ଜଣାପଡ଼ିଛି।