ଜାତିସଂଘରେ ପାକିସ୍ତାନର ‘କଶ୍ମୀର’ ଧ୍ରୁବୀକରଣ ପ୍ରୟାସ ବିଫଳ: ଭାରତ

ନୂଆଦିଲ୍ଲୀ: ଗୁରୁବାର ଭାରତ ପକ୍ଷରୁ କୁହାଯାଇଛି, ପାକିସ୍ତାନ କଶ୍ମୀର ପ୍ରସଙ୍ଗର ଧ୍ରୁବୀକରଣ ଏବଂ ରାଜନୀତିକରଣ ପ୍ରୟାସ କରିଥିଲେ ମଧ୍ୟ ଏହା ଜାତିସଂଘ ମାନବିକ ଅଧିକାର ପରିଷଦରେ କାଟ୍‌ ଖାଇଛି। ଭାରତ ଆହୁରି ମଧ୍ୟ କହିଛି, ପାକିସ୍ତାନ ବୁଝିବା ଦରକାର ଗୋଟିଏ ମିଛକୁ ବାରମ୍ବାର କହିବା କେବେ ମଧ୍ୟ ଏହା ସତ୍ୟରେ ପରିଣତ ହେବ ନାହିଁ।

ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ, ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ ଭଲ ଭାବେ ଜଣାଅଛି ପାକିସ୍ତାନ କିଭଳି ଭାବେ ଆତଙ୍କବାଦ ଭିତ୍ତିଭୂମିକୁ ସହାୟତା, କୁପ୍ରରୋଚନା ଏବଂ ସମର୍ଥନ ଦେଇଆସିଛି, ଯାହାକି ତାଙ୍କ ରାଷ୍ଟ୍ରରେ ହିଁ ଅଛି।

ପାକିସ୍ତାନ ଏବଂ ଭାରତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୁହାଁମୁହିଁ ହେବାର ୨ ଦିନ ପରେ ରବୀଶ ଏପରି ମନ୍ତବ୍ୟ ରଖିଛନ୍ତି। ଭାରତ ଏହି ପ୍ରସଙ୍ଗକୁ ଅନ୍ତରୀଣ ମାମଲା ଦର୍ଶାଇଆସୁଛି, କିନ୍ତୁ ପାକିସ୍ତାନ ଦାବି କରି ଆସୁଛି କଶ୍ମୀରରେ କୁଆଡ଼େ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ଏଥିପାଇଁ ଅନ୍ତର୍ଜାତୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ପାକିସ୍ତାନ ଦାବି କରିଆସୁଛି।