‘ଅରୁନ୍ଧତୀଙ୍କୁ ଆର୍ମି ଜିପ୍‌ରେ ବାନ୍ଧି ଦିଅ’ : କାହିଁକି ରାଗିଲେ ପରେଶ ରାୱଲ୍‌ ?

ନୂଆଦିଲ୍ଲୀ: ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ଅରୁନ୍ଧତୀ ରୟଙ୍କ ଦେଶ ବିରୋଧୀ ମନ୍ତବ୍ୟକୁ  ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା। ପାକ୍‌ ଗଣମାଧ୍ୟମକୁ ବିବାଦୀୟ ମନ୍ତବ୍ୟ ଦେଇ କାଠଗଡ଼ାକୁ ଆସିଛନ୍ତି ଅରୁନ୍ଧତୀ। ଅରୁନ୍ଧତୀଙ୍କୁ  ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ବିଜେପି ସାଂସଦ  ପରେଶ ରାୱଲ ଟ୍ୱିଟ୍‌ କରି କଡ଼ା ଭାଷାରେ ତାଚ୍ଛଲ୍ୟ କରିଛନ୍ତି। କହିଛନ୍ତି “ଆର୍ମି ଜିପ୍‌ରେ ଷ୍ଟୋନ ପେଲେଟ୍‌ରଙ୍କୁ ବାନ୍ଧିବା ବଦଳରେ ଅରୁନ୍ଧତୀ ରୟଙ୍କୁ ବାନ୍ଧିଦେବା ଜରୁରୀ”। ଯେମିତି ଗତ ମାସେତଳେ କଶ୍ମୀରରେ ଜଣେ ଯୁବକଙ୍କୁ ଜିପ୍‌ ଆଗରେ ବାନ୍ଧି ଦିଆ ଯାଇଥିଲା।

ପାକ୍‌ ଗଣମାଧ୍ୟମକୁ କ’ଣ କହିଥିଲେ ଅରୁନ୍ଧତୀ

ଗତ ସପ୍ତାହରେ ପାକିସ୍ତାନ ଗଣମାଧ୍ୟମ ଟାଇମ୍ସ ଅଫ ଇସ୍‌ଲାମାବାଦକୁ ଅରୁନ୍ଧତୀ ରୟ ଏକ ସାକ୍ଷାତକାର ଦେଇଥିଲେ।  କହୁ କହୁ ସେ  ଭାରତ ବିରୋଧରେ ଅନେକ ଆପତ୍ତିଜନକ ମତ ଦେଇଥିଲେ।  ସେ କହିଥିଲେ ଯେ, ଜମ୍ମୁକଶ୍ମୀରରେ ଯଦି ଭାରତ ୭୦ଲକ୍ଷ ଯବାନ ମୁତୟନ କରେ ତଥାପି କଶ୍ମୀରରେ ଜାରି ରହିଥିବା ‘ଆଜାଦି କୀ ଜଙ୍ଗ’କୁ ପ୍ରତିହତ” କରିପାରିବେ ନାହିଁ। ଯେତେ ଯାହା କଲେ ବି ଭାରତ ନିଜ ଲକ୍ଷ୍ୟ ହାସଲ  କରିପାରିବ ନାହିଁ ବୋଲି ସେ କହିଥିଲେ। ଅରୁନ୍ଧତୀଙ୍କ ଏହି ମତକୁ ନେଇ ସମଗ୍ର ଦେଶରେ ହଟଚମଟ ସୃଷ୍ଟି ହୋଇଛି।