ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ: ୧୨୭ ମୃତ, ୮ ଆତଙ୍କୀ ନିହତ

ପ୍ୟାରିସ୍: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୨୭ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୮ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୬ଟି ସ୍ଥାନରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି। ପ୍ୟାରିସର ଏକ ରେଷ୍ଟୁରାଣ୍ଟରେ ମଧ୍ୟ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏପରିକି ଆତଙ୍କବାଦୀମାନେ ବନ୍ଧକ ରଖିଥିବା ପ୍ରାୟ ୧୦୦ଜଣଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଏହି ଘଟଣା ପରେ ଫ୍ରାନ୍ସ ସୀମାକୁ ସିଲ୍ କରି ଦିଆଯିବା ସହ ସାରା ଦେଶରେ ଏମରଜେନସି ଘୋଷଣା କରାଯାଇଛି।

ଫ୍ରାନ୍ସ-ଜର୍ମାନୀ ଫୁଟବଲ୍ ମ୍ୟାଚ୍ ଚାଲିଥିବାବେଳେ ଷ୍ଟାଡିୟମ୍ ନିକଟରେ ଦୁଇଟି ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ସମୟରେ ଷ୍ଟାଡିୟମ ଭିତରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନକୋଇସ୍ ହୋଲାଣ୍ଡେ ମଧ୍ୟ ମ୍ୟାଚ୍ ଦେଖୁଥିଲେ। ତେବେ ସେ ନିରାପଦ ଅଛନ୍ତି। ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଏସ୍ ନିଜକୁ ଦାୟୀ କରିଛି। ଏହି ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ବିଶ୍ୱ ନେତାମାନେ ନିନ୍ଦା କରିଛନ୍ତି। ଏଭଳି ଦୁର୍ଦ୍ଦିନରେ ଫ୍ରାନ୍ସ ସହ ସମଗ୍ର ଭାରତବାସୀ ରହିଥିବା ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଫ୍ରାନ୍ସରେ ପ୍ରଥମ ଥର ଲାଗି ଗତକାଲି ଆତଙ୍କବାଦୀ ଆକ୍ରମଣରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି।