ପଠାନକୋଟ ଅଞ୍ଚଳରେ ପୁଣି ଅନୁପ୍ରବେଶ ଉଦ୍ୟମ: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ

ପଠାନକୋଟ: ପଠାନକୋଟ ବାମିୟାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସକାଳେ ସୁରକ୍ଷା କର୍ମୀ ପଣ୍ଡ କରିଦେଇଛନ୍ତି। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।

ଘନ କୁହୁଡିର ଫାଇଦା ନେଇ ୩ଜଣ ଆତଙ୍କବାଦୀ ବାମିୟାଲ ଅଞ୍ଚଳର ତାଶ ଚେକପୋଷ୍ଟ ନିକଟରେ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ଭାରତୀୟ ସୀମାରେ ମୁତୟନ ବିଏସଏଫ୍ ଯବାନଙ୍କ ନଜରକୁ ଆସିବା ପରେ ଚେତାବନୀ ଦିଆଯାଇଥିଲା। ତେବେ ଆତଙ୍କୀମାନେ ଦୌଡିବା ଆରମ୍ଭ କରିଦେଇଥିଲେ। ତାଶ ପଟ୍ଟନ ପାଖରେ ଯବାନମାନେ ଜଣେ ଆତଙ୍କୀକୁ ମାରିବାକୁ ସକ୍ଷମ ହୋଇଥିଲେ। ପରେ ଯବାନମାନେ ପୂରା ଅଞ୍ଚଳରେ ତଲାସୀ କରିଥିଲେ।

ପଠାନକୋଟ ଏୟାରବେସ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ବାମିୟାଲ ଅଞ୍ଚଳ ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ। ଏହି ଆକ୍ରମଣ ପରେ ପଠାନକୋଟ ସମେତ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।