ପଠାନକୋଟ: ବିପୁଳ ପରିମାଣରେ ଏକେ ୪୭ ଓ ଇନସାସ ଗୁଳି ଜବତ

ପଠାନକୋଟ: ପଠାନକୋଟ ଏୟାରବେସରେ ଆତଙ୍କୀ ଆର୍କମଣର ୨୮ଦିନ ପରେ ଆଜି ଏକ କେନାଲ ନିକଟରୁ ବିପୁଳ ପରିମାଣର ଗୁଳି ଓ ଏକେ ୪୭ ବନ୍ଧୁକ ଜବତ କରାଯାଇଛି। ସ୍ଥାନୀୟ କିଛି ପିଲାଙ୍କ ପାଖରୁ ଖବର ପାଇ ପୋଲିସ କେନାଲ ନିକଟରୁ ଏକେ ୪୭, ଇନସାସ ଓ ୧୫ ବୋର ବନ୍ଧୁକର ଗୁଳି ଜବତ କରିଛି। ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ସୂଚନାଯୋଗ୍ୟ, ଉପର ବାରି ଡୋବ କେନାଲରେ ରବିବାର ସକାଳେ କିଛି ସ୍ଥାନୀୟ ପିଲା ଗାଧୋଉ ଥିଲେ। ଏହି ସମୟରେ ସେମାନେ ଏହି ଅସ୍ତ୍ରଶସ୍ତ୍ର ଦେଖି ପୋଲିସକୁ ଖବର ଦେଇଥିଲେ।

ପଠାନକୋଟ ଏସପି ଆରକେ ବକ୍ସି କହିଛନ୍ତି, ୩ଟି ମାଗଜିନ, ଏକେ ୪୭ର ୨୯ଟି ଗୁଳି, ୧୫ ବୋର ରାଇଫଳର ୧୫ଟି ଗୁଳି, ୨୯ଟି କାରତୁସ ଜବତ କରାଯାଇଛି।

ଜାନୁୟାରୀ ୨ ତାରିଖରେ ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତଙ୍କୀ ପଠାନକୋଟ ଏୟାରବେସ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀଙ୍କ ପ୍ରତି ଆକ୍ରମଣରେ ସମସ୍ତ ୬ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୭ଜଣ ଯବାନ ସହିଦ ହୋଇଥିଲେ।