ପଠାନକୋଟ୍ ଆକ୍ରମଣ: ମାସୁଦ ଆଝାରର ଅଟକକୁ ନେଇ ସସପେନ୍ସ ଜାରି

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର ଅଟକ ଖବରକୁ ନେଇ ସସପେନ୍ସ ଜାରି। ମାସୁଦକୁ ଅଟକ ରଖିଥିବା ନେଇ ପାକିସ୍ତାନ ସରକାରୀ ଭାବେ ଭାରତକୁ କିଛି ଜଣାଇ ନ ଥିବା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ବିକାଶ ସ୍ୱରୁପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗତକାଲି ପାକିସ୍ତାନୀ ମିଡିଆ ଖବର ପ୍ରସାରଣ କରିଥିଲା ଯେ ମାସୁଦ ଓ ତା’ର ଭାଇ ସମେତ ଅନ୍ୟ କିଛି ଜୈଶ-ଇ-ମହମ୍ମଦ ସଦସ୍ୟଙ୍କୁ ପୋଲିସ ଅଟକ ରଖିଛି। ପଞ୍ଜ।ବ ପଠାନକୋଟ୍ ଏୟାରବେସ୍ ଆକ୍ରମଣ ଘଟଣାରେ ପାକିସ୍ତାନ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଥିଲା। ୧୯୯୪ରେ ଆଝାର ମାସୁଦକୁ କାଶ୍ମୀରରୁ ଗିରଫ କରାଯାଇଥିଲା। ତେବେ ୧୯୯୯ରେ ଇଣ୍ଡିଆନ୍ ଏୟାରଲାଇନସର ବିମାନକୁ କାନ୍ଦାହର ଅପହରଣ କରିନେଇ ୧୫୫ ଯାତ୍ରୀକୁ ବନ୍ଧକ ରଖିଥିଲେ ଆତଙ୍କବାଦୀ। ସେତେବେଳେ ମାସୁଦ ଆଝାର ଓ ଅନ୍ୟ ୨ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ ଭାରତ ସରକାର। ୨୦୦୧ ସଂସଦ ଆକ୍ରମଣ ଘଟଣାର ବି ମାଷ୍ଟର ମାଇଣ୍ଡ ହେଉଛି ମାସୁଦ୍ ଆଝାର।