ପଠାନକୋଟ ଆକ୍ରମଣ: ଆତଙ୍କବାଦୀ ମାସୁଦ ଆଝାରକୁ ଅଟକ ରଖି କାର୍ଯ୍ୟାଳୟ ସିଲ କଲା ପାକିସ୍ତାନ

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣର ୮ ଦିନ ପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ପକ୍ଷରୁ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ (ଜେଇଏମ)ର ପ୍ରମୁଖ ନେତା ମାସୁଦ ଆଝାର ଓ ତାର ଭାଇ ରୌଫ ଙ୍କୁ ଅଟକ ରଖିବା ସହ ତା’ର କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଏହାସହ ଏହି ଆକ୍ରମଣରେ ସମ୍ପୃକ୍ତି ଥିବା ସନ୍ଦେହରେ ୧୨ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି। ସେମାନଙ୍କୁ ପାକିସ୍ତାନର ଦକ୍ଷିଣ ପଞ୍ଜାବର ବିଭିନ୍ନ ସହରରୁ ପାକିସ୍ତାନର ଆଣ୍ଟି ଟେରର ପକ୍ଷରୁ ଧରାଯାଇଛି।

ସେହିପରି ପାକିସ୍ତାନର ଆଣ୍ଟି ଟେରର ପକ୍ଷରୁ ଚଢାଉ କରାଯାଇ ଜେଇଏମ ସଂଗଠନର ବହାୱାଲନଗର, ବାହାୱାଲପୁର, ମୁଲତାନ୍ ଓ ମୁଜାଫରଗଡ କାର୍ଯ୍ୟଳୟକୁ ମଧ୍ୟ ସିଲ କରାଯାଇଛି। ପଠାନକୋଟ ଆକ୍ରମଣ ଘଟଣାରେ ଭାରତୀୟ ଗୁଇନ୍ଦାକୁ ସହଯୋଗ କରିବା ପାଇଁ ପାକିସ୍ତାନ ଏକ ଟିମ୍ ଭାରତ ପଠାଇବ ବୋଲି ଚିନ୍ତା କରୁଛି।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨ରୁ ୫ ତାରିଖ ଯାଏଁ ପଞ୍ଜାବର ପଠାନକୋଟ ଏୟାରବେସ୍ ଉପରେ ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୬ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆତଙ୍କୀଙ୍କ ଆକ୍ରମଣରେ ୭ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ଲୋକ ସହିଦ ହୋଇଥିଲେ।