ବିଚିତ୍ର ଚିକିତ୍ସା ପଦ୍ଧତି:ଡାକ୍ତର କରୁଥିଲେ ଅପରେସନ୍, ରୋଗୀ ବଜାଉଥିଲେ ଗିଟାର

ବାଙ୍ଗାଲୋର: ବିଭିନ୍ନ ମ୍ୟୁଜିକ କନସର୍ଟରେ ଗିଟାରିଷ୍ଟଙ୍କୁ ଗିଟାର ବଜାଉଥିବାର ଆପଣ ଅନେକବାର ଦେଖିଥିବେ। କିନ୍ତୁ ହସ୍ପିଟାଲରେ କେବେ ଗିଟାର ବାଜୁଥିବାର ଶୁଣିଛନ୍ତି କି ? ସେ ପୁଣି ହସ୍ପିଟାଲର ଅପରେସନ୍‌ ଥିଏଟରରେ। ଆଉ ଗିଟାର କିଏ ବଜାଉଛି ଜାଣିଛନ୍ତି, ଅପରେସନ ଥିଏଟରରେ ଥିବା ରୋଗୀ ଜଣକ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡାକ୍ତର ମାନେ ରୋଗୀର ବ୍ରେନ ଅପରେସନ୍‌ କରୁଥିବା ସମୟରେ ହିଁ ଗିଟାର ବଜାଉଥିଲା ରୋଗୀ ଜଣକ। ଏଭଳି ଘଟଣା ବାଙ୍ଗାଲୋରରେ ଦେଖିବାକୁ ମିଳିଛି।

ଗତ ସପ୍ତାହରେ ଡିଷ୍ଟ୍ରୋନିଆ ରୋଗରେ ପୀଡିତ ୩୨ ବର୍ଷିୟ ଜଣେ ମ୍ୟୁଜିସିଆନଙ୍କ ବାଙ୍ଗାଲୋର ହସ୍ପିଟାଲରେ ବ୍ରେନ ଅପରେସନ୍‌ କରାଯାଇଥିଲା। ତେବେ ଅପରେସନ୍‌ କରିବା ପାଇଁ ଡାକ୍ତରୀଦଳ ଗିଟାରର ସାହାର୍ଯ୍ୟ ନେଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ମ୍ୟୁଜିସିଆନ ଡିଷ୍ଟ୍ରୋନିଆ ରୋଗରେ ପୀଡିତ ରୋଗୀଙ୍କ ଅପରେସନ୍‌ରେ ଏହି ଜ୍ଞାନକୌଶଳ ଦରକାର ପଡିଥାଏ। ପୂର୍ବରୁ ଦେଢ ବର୍ଷ ଧରି ଯୁବକ ଜଣକ ଏହି ରୋଗରେ ପୀଡିତ ଥିଲେ। ଏହି ରୋଗର ପ୍ରଭାବରେ ଯୁବକ ଜଣଙ୍କର ବାମ ହାତର ଆଙ୍ଗୁଠି ଲାଠି ମାରି ଯାଇଥିଲା। ଯାହାଫଳରେ ଗିଟାର ବଜାଇବାରେ ତାଙ୍କୁ ଅସୁବିଧା ହେଉଥିଲା। ଏହି ରୋଗ ହେବା ଦ୍ୱାରା ମସ୍ତିଷ୍କ ଶରୀରର ମାଂସପେଶୀକୁ ଭୁଲ ସୂଚନା ଦେଇଥାଏ।

ହାତକୁ ଆବଶ୍ୟକ ଠାରୁ ଅଧିକ ହଲାଇବା ଦ୍ୱାରା ଏହା ମାସଂପେଶୀ ଉପରେ ପ୍ରଭାବ ପକାଇଥାଏ ଓ ଡିଷ୍ଟ୍ରୋନିଆ ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ। ତେବେ ଅପରେସନ ସମୟରେ ରୋଗୀ ଗିଟାର ବଜାଇବା ପଛରେ ମଧ୍ୟ କାରଣ ଲୁଚି ରହିଛି। ଏହାଦ୍ୱାରା ଡାକ୍ତରଙ୍କୁ ମସ୍ତିଷ୍କରେ ଥିବା ସମସ୍ୟା ଖୋଜି ବାହାର କରିବାକୁ ସହଜ ହୋଇଥାଏ। ତେବେ ମହିଳାଙ୍କ ତୁଳନାରେ ଏହି ରୋଗ ପୁରୁଷଙ୍କୁ ଅଧିକ ହୋଇଥାଏ।