ରାଷ୍ଟ୍ରପତିଙ୍କ ପାଇଁ ଅଟକିଗଲେ ପକ୍ଷାଘାତ ରୋଗୀ

ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯିବାବେଳେ ଆମ୍ବୁଲାନ୍ସ କିମ୍ୱା ରୋଗୀ ଥିବା ଗାଡି ଦେଖିଲେ ବାଟ ଛାଡି ଦେଇଥାନ୍ତି ଲୋକେ। ଏଭଳିକି ଗତ କିଛିଦିନ ପୂର୍ବେ ବାଙ୍ଗ।ଲୋରରେ ଆମ୍ବୁଲାନ୍ସ ଆସୁଥିବା ଦେଖି ଟ୍ରାଫିକ ପୋଲିସ ରାଷ୍ଟ୍ରପତିଙ୍କ କାରକେଡଙ୍କୁ ଅଟକାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏଥିପାଇଁ ବହୁତ ପ୍ରଂଶସା ମଧ୍ୟ ସାଉଁଟିଥିଲେ ଟ୍ରାଫିକ ପୋଲିସ କର୍ମଚାରୀ। କିନ୍ତୁ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଦିଲ୍ଲୀରେ। ନବନିର୍ବାଚିତ ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ପକ୍ଷାଘାତ ରୋଗୀକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ପକ୍ଷାଘାତ ରୋଗରେ ପୀଡିତ ବିହାରର ରାଜୀବ କୁମାର। ଠିକ୍ ଭାବେ ଠିଆ ମଧ୍ୟ ହୋଇ ପାରୁନାହାନ୍ତି। କାହାର ଆଶ୍ରା ନହେଲେ ଦି ପାଦ ଆଗକୁ ଯିବା ମଧ୍ୟ କଷ୍ଟକର। ତେଣୁ ନିଜର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଆସିଥିଲେ। ଆଜି ସେଠାରୁ ଫେରୁଥିବା ବେଳେ ୧୦ ରାଜାଜୀ ମାର୍ଗରେ ତାଙ୍କ ଅଟୋକୁ ସୁରକ୍ଷାକର୍ମୀ ହଠାତ୍ ଅଟକାଇ ଦେଇଥିଲେ। ତାଙ୍କ ଗାଡିକୁ ଆଗକୁ ଛାଡିନଥିଲେ। କିଛି ବୁଝିବା ପୂର୍ବରୁ ମଝି ରାସ୍ତାରେ ତାଙ୍କୁ ଅଟୋରୁ ଓହ୍ଲାଇବାକୁ କହିଥିଲେ ସୁରକ୍ଷାକର୍ମୀ। କାରଣ ସେହି ରୁଟ୍‌ରେ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯିବା ନେଇ ସ୍ଥିର ହୋଇଥିଲା। ତେଣୁ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ରାଜୀବଙ୍କୁ ସେହି ରାସ୍ତାରେ ଛାଡିନଥିଲେ ସୁରକ୍ଷାକର୍ମୀ। ତେଣୁ ବାଧ୍ୟ ହୋଇ ଠିକ୍‌ରେ ଛିଡା ହୋଇ ପାରୁନଥିବା ରାଜୀବ ନିଜ ମାଙ୍କ ଆଶ୍ରାରେ ଚାଲି ଚାଲି ଯିବାକୁ ପଡିଥିଲା।