ପତ୍ନୀଙ୍କୁ ଓସାମାର ଚିଠି: ମୋ’ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରି ନେବ

ୱାଶିଂଟନ:ଆତଙ୍କବାଦୀ ସଂଗଠନ ଅଲ-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଦେନକୁ ଆମେରିକା ନୌ ସେନାର ଯବାନମାନେ ପାକିସ୍ତାନର ଯେଉଁ ଘରେ ଗୁଳି କରି ମାରିଥିଲେ ସେଠାରୁ ୧୦୩ଟି ଚିଠି, ଅନେକ କାଗଜପତ୍ର ସହିତ କିଛି ଭିଡିଓ ବି ଜବତ କରିଥିଲେ। ୪ ବର୍ଷ ପରେ ଏବେ ଏହି ଦସ୍ତାବିଜଗୁଡ଼ିକ ଲୋକଲୋଚନକୁ ଆସିଛି।  ଗତକାଲି ଏଗୁଡ଼ିକୁ ସର୍ବସାଧାରଣଙ୍କ ନିମନ୍ତେ ଜାରି କରାଯାଇଥିଲା। ଜବତ କରାଯାଇଥିବା ଭିଡିଓ ଗୁଡ଼ିକ ମଧ୍ୟରୁ ଗୋଟିଏ ଓସାମାର ଜଣେ ପତ୍ନୀଙ୍କ ଉଦ୍ଦେଶ୍ୟରେ ରହିଛି। ତାହାକୁ ଗତକାଲି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିଲା। ଏଥିରେ ଓସାମା ତା’ର ସେହି ପତ୍ନୀଙ୍କ ଉଦ୍ଦେଶ୍ୟରେ କହିଛି, ’ ମୋର ମୃତ୍ୟୁ ପରେ ତୁମେ ଦ୍ୱିତୀୟ ବିବାହ କରି ନେବ।’ ପୁଣି ଏହି ଭିଡିଓର ଓସାମା କହିଥିବା କଥାଗୁଡ଼ିକ ତା’ର ଅନ୍ତିମ ଇଚ୍ଛା ଥିଲା ବୋଲି ମନେ କରାଯାଉଛି।

ଏହି ଭିଡିଓରେ ଲାଦେନ ତା’ର ସେହି ପତ୍ନୀ ଉଦ୍ଦେଶ୍ୟରେ କହିଛି, ’ ତୁମେ ମୋ ଆଖିର ତାରା। ଏ ବିଶ୍ୱରେ ତୁମେ ମୋ ପାଇଁ ସ୍ୱତନ୍ତ୍ର। ମୋର ମୃତ୍ୟୁ ପରେ ତମେ ଅନ୍ୟ କାହାକୁ ବାହାହେଲେ ମୋର କୌଣସି ଅସୁବିଧା ନାହିଁ। ତେବେ ମୁଁ ଚାହିଁବି ସ୍ୱର୍ଗରେ ବି ତୁମେ ମୋ ସହିତ ରୁହ।’

ସୂଚନାଯୋଗ୍ୟ, ୨୦୧୧ ମେ’ରେ ଆମେରିକା ନୌ ସେନାର ୧୦ ଜଣ କୋମାଣ୍ଡୋ ପାକିସ୍ତାନ ସ୍ଥିତ ଏବଟାବାଦରେ ଓସମା ବିନ୍ ଲାଦେନକୁ ତା’ଘରେ ପଶି ହତ୍ୟା କରି ଥିଲେ।