ଭାରତରେ ସଜ୍ଜା କାଟିଥିବା ୬୭ କଏଦୀଙ୍କୁ ପାକିସ୍ତାନ କହିଲା ମୁଁ ଚିହ୍ନିନି

ନୂଆଦିଲ୍ଲୀ: ଅଡ଼ୁଆରେ ଭାରତ ସରକାର।  ମୋଦି ସରକାରଙ୍କୁ ସଙ୍କଟରେ ପକାଇଲା ପାକିସ୍ତାନ।  ଗତ ୧୩ ବର୍ଷରୁ ଅଧିକ ସମୟ ଧରି ଭାରତରେ ବନ୍ଦୀ ଜୀବନ କାଟୁଥିବା ୩୯୩ ଜଣ ପାକିସ୍ତାନୀ ନାଗରିକଙ୍କ  ପାଇଁ ଭାରତ ସରକାର  ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। କାରଣ ୩୯୩ ଜଣ ନାଗରିକଙ୍କ ମଧ୍ୟରୁ ୬୭ ଜଣଙ୍କର ବନ୍ଦୀ ଜୀବନ ଅବଧି ଶେଷ ହୋଇସାରିଥିବା ବେଳେ ସେମାନେ ସ୍ୱଦେଶ ଫେରିପାରୁ ନାହାନ୍ତି।  ପାକିସ୍ତାନ ସରକାର ଏହି ୬୭ କଏଦୀ ନିଜ ଦେଶର ନାଗରିକ ନୁହେଁ ବୋଲି ମନା କରିଦେଇଛି।  ଏହି କଏଦୀମାନଙ୍କ ମଧ୍ୟରେ ଅନେକ ମତ୍ସ୍ୟଜିବୀ ବି ଅଛନ୍ତି।

ଏହି ବିଷୟରେ ଜାମ୍ମୁ କାଶ୍ମୀର ପାନ୍ଥର୍ସ ପାର୍ଟିର ମୁଖ୍ୟ ଭୀମ ସିଂହ  ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ କରିଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟ ସରକାରଙ୍କୁ କହିଛନ୍ତି ଯେ, ଯେଉଁ କଏଦୀଙ୍କ ଦଣ୍ଡବିଧାନ ଶେଷ ହୋଇଛି, ସେମାନଙ୍କ ପାଇଁ ଏମିତି ବ୍ୟବସ୍ଥା କରାଯାଉ ଯେମିତି ସେମାନେ ଆଉ ଜେଲ୍‌ରେ ନ ରହିବେ।  ସେପଟେ ସରକାରଙ୍କ କହିବା ଅନୁସାରେ,ଭାରତ ସରକାର  ପାକିସ୍ତାନୀ ନାଗରିକମାନଙ୍କ ପରିଚୟକୁ ନେଇ ଅନେକଥର ପାକିସ୍ତାନ ଉଚ୍ଚ ଆୟୋଗଙ୍କ ସହ ଆଲୋଚନା କରିଛନ୍ତି।  କିନ୍ତୁ ଏବେ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ନାଗରିକଙ୍କୁ ନେଇ କିଛି ସ୍ପଷ୍ଟ କରାଯାଇନାହିଁ।