ରାସ୍ତା ମଝିରେ ହେଉଥିଲା ହତ୍ୟା; ସିସିଟିଭି କ’ଣ ଦେଖୁଥିଲା…ପଢ଼ିଲେ ଲାଗିବ ଲାଜ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କଡ଼ାପା ଜିଲ୍ଲାରେ ଗତକାଲି ଦିନଦ୍ୱିପହରେ ଦୁଇ ଜଣ ଧାରୁଆ ଅସ୍ତ୍ରରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରି ଦେଲେ। ତାହା ପୁଣି ରାସ୍ତା ମଝିରେ। ସେମାନେ ଏହି ବ୍ୟକ୍ତିଙ୍କୁ ହାଣି ହତ୍ୟା କରୁଥିବା ବେଳେ ଆଖପାଖରେ ଅନେକ ଲୋକ ଥିଲେ। ମୃତ ଯୁବକଙ୍କ ନାଁ ମାରୁତି ରେଡ୍ଡୀ।

ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ ଉକ୍ତ ଯୁବକ ଏକ ଅଟୋରେ କୋର୍ଟ ଅଭିମୁଖେ ଯାଉଥିଲେ। ଦୁଇ ଜଣ ବ୍ୟକ୍ତି ତାଙ୍କୁ ପ୍ରଥମେ ଅଟୋରୁ ଓହ୍ଲାଇଥିଲେ। ମାରୁତି ଦୌଡ଼ି ଚାଲି ଯିବାକୁ ଉଦ୍ୟମ କରି ଥିଲେ। କିନ୍ତୁ ରାସ୍ତାର ଡିଭାଇଡରରେ ପିଟି ହୋଇ ପଡ଼ିଗଲେ। ଏହା ପରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଧରି ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେମାନେ ୧୧ ଥର ତାଙ୍କୁ ହାଣି ଥିଲେ। ସେତେବେଳେ ଆଖପାଖରେ ଲୋକ ଥିଲେ। କିନ୍ତୁ କେହି ତାଙ୍କୁ ଉଦ୍ଧାର କରିବାକୁ ଆସି ନ ଥିଲେ। ଓଲଟି କିଛି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ଏହି ଦୁଃଖଦ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ।

ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି।