ପାଣି ବି ମାଗଣାରେ ମିଳୁନି, କିନ୍ତୁ ଏହି ଗାଁରେ ମାଗଣାରେ ମିଳୁଛି କ୍ଷୀର

ଭୋପାଲ: ଆଜିର ଦୁନିଆରେ ପାଖରେ ଟଙ୍କା ନାହିଁ ତ କିଛି ନାହିଁ। ଏମିତିକି ପାଣି ମୁନ୍ଦାଏ ପାଇଁ ପକେଟରୁ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି। ହେଲେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି କ୍ଷୀର ମାଗଣାରେ ମିଳିଥାଏ। ଏଠାରେ ମଇଁଷି ପାଳୁଥିବା ଲୋକେ କ୍ଷୀର ବିକ୍ରି ନକରି ମାଗଣାରେ ଲୋକଙ୍କୁ ଦେଇ ଦେଇଥା’ନ୍ତି।
ଏହି ଗାଁଟିର ନାଁ ଚୁଡ଼ିୟା। ଏଠାରେ ଘରେ ଘରେ ଲୋକେ ମଇଁଷି ପାଳିଛନ୍ତି। ମଇଁଷିଠାରୁ ମିଳୁଥିବା କ୍ଷୀରକୁ ସେମାନେ ଖାଦ୍ୟ ଭାବେ ଗ୍ରହଣ କରନ୍ତି। କିନ୍ତୁ ସେମାନେ କ୍ଷୀରକୁ ନେଇ ବ୍ୟବସାୟ କରନ୍ତି ନାହିଁ। ବଳକା କ୍ଷୀରକୁ ସେମାନେ ଅନ୍ୟ ଲୋକଙ୍କୁ ବାଣ୍ଟି ଦିଅନ୍ତି।
ଚୁଡ଼ିୟା ଗାଁର ପୁରୋହିତ ଶିବଚରଣ ଯାଦବ କହିଛନ୍ତି, ଏହି ଗାଁରେ ୧୦୦ ବର୍ଷ ପୂର୍ବରୁ ସନ୍ଥ ଚିନ୍ଧ୍ୟା ବାବା ରହୁଥିଲେ। ସେ ଗୋସେବକ ଥିଲେ। ସେତେବେଳେ ସେ ଗ୍ରାମବାସୀଙ୍କୁ କ୍ଷୀର ବା ସେଥିରୁ ଉତ୍ପାଦନ ହେଉଥିବା କୌଣସି ଜିନିଷ ବିକ୍ରି ନକରିବାକୁ କହିଥିଲେ। ଗାଁ ଲୋକେ ବାବାଙ୍କ କଥା ମାନି ଆଜି ଯାଏ କ୍ଷୀର ବିକ୍ରି କରୁ ନାହାନ୍ତି।
ଏହି ଗାଁର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରନ୍ତି। ଚାଷରୁ ଭଲ ଅମଳ ସାଙ୍ଗକୁ ଭଲ ରୋଜଗାର ହେଉଥିବାରୁ ଏଠାକାର ଲୋକେ କ୍ଷୀର ବିକ୍ରି କରନ୍ତି ନାହିଁ।