ଗୀତାଙ୍କ ଭଳି ଆଉ କେଉଁମାନେ ରାଷ୍ଟ୍ରୀୟ ପୁରସ୍କାରକୁ ଅଗ୍ରାହ୍ୟ କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଜଣେ ଆମେରିକୀୟ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୀତା, ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିବାରୁ ଦେଶ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ଏ ବାବଦରେ ଗୀତା କହିଛନ୍ତି ଯେ, ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାନ୍ତା।

ତେବେ କୌଣସି ରାଷ୍ଟ୍ରୀୟ ପୁରସ୍କାରକୁ ପ୍ରତ୍ୟଖ୍ୟାନ କରିବାରେ ଗୀତା ଏକମାତ୍ର ବ୍ୟକ୍ତି ନୁହନ୍ତି। ତାଙ୍କ ପୂର୍ବରୁ ଆହୁରି ଅନେକ ବ୍ୟକ୍ତି ଭିନ୍ନଭିନ୍ନ କାରଣ ଯୋଗୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଭଳି ରାଷ୍ଟ୍ରୀୟ ପୁରସ୍କାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏପରିକି ‘ଭାରତରତ୍ନ’ ଭଳି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନେବାକୁ ମଧ୍ୟ ମନା କରିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

ମୌଲାନା ଅବଦୁଲ କାଲାମ୍‌: ଜଣେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍‌ ତଥା ପ୍ରଥମ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମୌଲାନା ଅବଦୁଲ କାଲାମ୍‌ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଥିଲେ। ତାଙ୍କର ଯୁକ୍ତି ଥିଲା, ଯେଉଁମାନେ ଏହି ଶ୍ରେଷ୍ଠ ସମ୍ମାନ ପାଇଁ ଜାତୀୟସ୍ତରୀୟ ଚୟନ କମିଟିରେ ରୁହନ୍ତି, ସେମାନେ ଏହି ପୁରସ୍କାର ନେବା ଅନୁଚିତ୍‌। ତେବେ ମୌଲାନାଙ୍କ ମୃତ୍ୟୁ ପରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସୁଭାଷ ଚନ୍ଦ୍ର ବୋଷ: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୯୪୫ ମସିହାରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଦାବି କରାଯାଏ। ଯଦିଓ ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ମତ ଓ ବିବାଦ ରହିଛି, ୧୯୯୨ରେ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ରେ ସମ୍ମାନୀତ କରିଥିଲେ। ହେଲେ ତାଙ୍କ ପରିବାର ଏହି ସମ୍ମାନ ଗ୍ରହଣ କରିନଥିଲେ। ସେମାନେ କହିଥିଲେ, ନେତାଜୀଙ୍କ ଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବାକୁ ସରକାରଙ୍କୁ ଦୀର୍ଘଦିନ ଲାଗିଗଲା।

ମଦର ଟେରେସା: ପୃଥିବୀ ପ୍ରସିଦ୍ଧ ସମାଜସେବୀ ‘ମଦର ଟେରେସା’ଙ୍କୁ ୧୯୬୦ ମସିହାରେ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରାଯାଥିଲା। ହେଲେ ଟେରେସା ଏହାକୁ ଗ୍ରହଣ କରିନଥିଲେ। ତାଙ୍କ ବିଚାର ଥିଲା, ଈଶ୍ୱରଙ୍କ ନାମରେ ମାନବସେବା କରୁଥିବା ବ୍ୟକ୍ତି, ଏହିପରି କୌଣସି ସମ୍ମାନ ଗ୍ରହଣ କରିବା ଅନୁଚିତ୍‌। ପରେ ତାଙ୍କୁ ବହୁ ବୁଝାସୁଝା କରି ଏଥିପାଇଁ ରାଜି କରାଗଲା ପରେ, ଏହାର ଦୁଇବର୍ଷ ପରେ ୧୯୬୨ରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ୧୯୮୦ରେ ତାଙ୍କୁ ‘ଭାରତରତ୍ନ’ ସମ୍ମାନରେ ଭୂଷିତ କରାଯାଇଥିଲା।

ସଲିମ୍‌ ଖାନ: ପ୍ରଖ୍ୟାତ ଲେଖକ ସଲିମ୍‌ ଖାନ୍‌ ୨୦୧୫ରେ ‘ପଦ୍ମଶ୍ରୀ’ ପୁରସ୍କାର ନେବାକୁ ମନା କରି ଦେଇଥିଲେ। ସେ କହିଥିଲେ ଯେ, ତାଙ୍କୁ ଏହି ପୁରସ୍କାର ପ୍ରଦାନରେ ବହୁ ବିଳମ୍ବ କରାଯାଇଛି।

ଖୁଶୱନ୍ତ ସିଂହ: ଜଣାଶୁଣା ସାମ୍ବାଦିକ ତଥା ଲେଖକ ଖୁଶୱନ୍ତ ସିଂହ ୧୯୮୪ରେ ‘ପଦ୍ମଭୂଷଣ’ ସମ୍ମାନ ନେବାକୁ ମନା କରି ଦେଇଥିଲେ। ୧୯୭୪ରେ ବ୍ଲୁ-ଷ୍ଟାର ଅପରେଶନ୍‌ ତଥା ସ୍ୱର୍ଣ୍ଣ ମନ୍ଦିରରେ ସେନା ପ୍ରବେଶକୁ ବିରୋଧ କରି ସେ ଏହି ପୁରସ୍କାର ନେବାକୁ ମନା କରି ଦେଇଥିଲେ।

ରବିଶଙ୍କର: ଆଧ୍ୟାତ୍ମିକ ଗୁରୁ ତଥା ‘ଆର୍ଟ ଅଫ୍‌ ଲିଭିଂ’ (Art Of Living)ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ୨୦୧୫ରେ ‘ପଦ୍ମବିଭୂଷଣ’ ପୁରସ୍କାର ନେବାକୁ ମନା କରିଥିଲେ। ସେ କହିଥିଲେ, ଏହି ପୁରସ୍କାର ପାଇଁ ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ହେଲେ ୨୦୧୬ରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ।