ସିଏଏ ବିରୋଧରେ ମମତାଙ୍କ ବିଶାଳ ରାଲି, ବିଜେପିକୁ କଲେ ଟାର୍ଗେଟ୍‌

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ପ୍ରଥମରୁ ଏହାକୁ ବିରୋଧ କରି ଆସୁଥିବା ମମତା ଆଜି ବିଶାଳ ରାଲି ଆୟୋଜନ କରି ଏହାର ପ୍ରତିବାଦ କରିଛନ୍ତି। ମମତାଙ୍କ ସହ ଶତାଧିକ ଟିଏମସି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ସିଏଏ ବିରୋଧୀ ପୋଷ୍ଟର ରହିଥିଲା।

କୋଲକାତାର ରେଡ୍‌ ରୋଡରେ ଥିବା ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ମମତା ପଯଯାତ୍ରା ଆରମ୍ଭ କରି ଜୋରାସାନଙ୍କୋ ଠାକୁରବାଡ଼ି ଯାଏ ଯାଇଥିଲେ। ଏହା ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମସ୍ଥାନ। ତେବେ ମମତାଙ୍କ ଏଭଳି ରାଲିକୁ ରାଜ୍ୟପାଳ ଜଗଦୀପ ଧାନକର ଅସାମ୍ବିଧାନିକ ବୋଲି କହିଛନ୍ତି।

ମମତା କହିଛନ୍ତି, “ବିଜେପି ଏକା ଏଠି ରହି ଅନ୍ୟ ସମସ୍ତଙ୍କୁ ଏଠାରୁ ବିଦା କରିବାକୁ ଚାହୁଁଛନ୍ତି। ଏହା ହେଉଛି ସେମାନଙ୍କ ରାଜନୀତିକ ଉଦ୍ଦେଶ୍ୟ। କିନ୍ତୁ ଏହା କେବେ ବି ସମ୍ଭବ ହେବନାହିଁ। କାରଣ ଭାରତ ସମସ୍ତଙ୍କର। ଯଦି ବିଜେପି ସମସ୍ତଙ୍କ ସହ ନ ରହିବ, ତା’ହେଲେ ସମସ୍ତଙ୍କର ବିକାଶ କେମିତି କରିବ? ନାଗରିକତା ଆଇନ ସପକ୍ଷରେ କିଏ ଅଛି? କ’ଣ ଆପଣମାନେ ଭୋଟ ଦେଇ ନାହାନ୍ତି? ପୂର୍ବରୁ ମୁଁ ଏକାଥିଲି, ହେଲେ ଏବେ ଅନ୍ୟମାନେ ମୋ ସହ ଯୋଡ଼ି ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ଏନଆରସି ବିରୋଧରେ। ମୁଁ ତାଙ୍କୁ ନାଗରିକତା ଆଇନ ଲାଗୁ ନ କରିବାକୁ କହିଛି। ପଞ୍ଜା, କେରଳ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସମାନ କଥା କହିଛନ୍ତି। ତେଣୁ ସମସ୍ତେ ଏହାକୁ ବିରୋଧ କରୁଛନ୍ତି।

ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହେବା ପଛରେ ବିଜେପି ରହିଛି। ହିଂସା ସୃଷ୍ଟି କରୁଥିବା ଲୋକମାନେ ବିଜେପିଠାରୁ ଟଙ୍କା ନେଇଛନ୍ତି। ବିଜେପି ପଶ୍ଚିମବଙ୍ଗକୁ ଭାଙ୍ଗିବାକୁ ଚାହୁଁଛି।”

ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ମମତା ଟ୍ୱିଟ କରି ଲୋକଙ୍କୁ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, “ଆଜି କୋଲକାତାରେ ଅସାମ୍ବିଧାନିକ ସିଏଏ ଓ ଏନଆରସି ବିରୋଧରେ ଏକ ବିଶାଳ ରାଲିର ଆୟୋଜନ ହେବ। ଦିନ ଠିକ ୧ଟାରେ ଏହା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହେବ। ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହେବା।”
ବୁଧବାର ଯାଏ ପଶ୍ଚିମବଙ୍ଗରେ ଏଭଳି ରାଲି କରିବାକୁ ମମତାଙ୍କ ଦଳ ଯୋଜନା କରିଛି। ସିଏଏ ଓ ଏନଆରସିକୁ ବେଙ୍ଗଲରେ ଲାଗୁ କରାଯିବ ନାହିଁ ବୋଲି ମମତା କହି ସାରିଛନ୍ତି।

ଅନ୍ୟପକ୍ଷରେ ସିଏଏ ଓ ଏନଆସି ବିରୋଧରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକ ଟ୍ରେନ ଓ ବସ୍‌ରେ ନିଆଁ ଲଗାଇଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମମତା ସମସ୍ତଙ୍କୁ ଶାନ୍ତି ସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ। ତଥାପି ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି।