ସପ୍ତାହରେ ଗୋଟିଏ ଦିନ ପେଟ୍ରୋଲ୍‌, ଡିଜେଲ୍‌ ବ୍ୟବହାର ନ କରିବାକୁ ମୋଦିଙ୍କ ଅନୁରୋଧ

ନୂଆଦିଲ୍ଲୀ: ୩୦ ତମ ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଥିଲା ‘ନ୍ୟୁ ଇଣ୍ଡିଆ’ । ଦେଶକୁ ‘ନ୍ୟୁ ଇଣ୍ଡିଆ’ ଆଡକୁ ଅଗ୍ରସର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏହାସହ ସ୍ୱଚ୍ଛ ଭାରତ ମିଶନ, ଯୋଗ ଦିବସ, ମତୃତ୍ୱ ଛୁଟି ବୃଦ୍ଧି ଓ ଖାଦ୍ୟ ନଷ୍ଟ ରୋକିବା ଭଳି ଅନେକ ବିଷୟରେ ଆଲୋଚନା କରିଥିଲେ।

ଏହାସହ ପେଟ୍ରୋଲ ଓ ଡିଜେଲ୍‌ ଅଭାବକୁ ନେଇ ମୋଦି ଚିନ୍ତା ପ୍ରକଟ କରିଥିଲେ। ସପ୍ତାହରେ ଗୋଟିଏ ଦିନ ସମସ୍ତେ ପେଟ୍ରୋଲ କିମ୍ବା ଡିଜେଲ୍‌ ବ୍ୟବହାର ନ କରିବାକୁ ମୋଦି ଏହି ଅବସରରେ ଅନୁରୋଧ କରିଛନ୍ତି।

୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସଫଳତା ପରେ ଏହା ଥିଲା ମୋଦିଙ୍କ ପ୍ରଥମ ‘ମନ୍‌ କି ବାତ’ କାର୍ଯ୍ୟକ୍ରମ। ଆଜି ବାଂଲାଦେଶର ସ୍ୱାଧୀନତା ଦିବସ ହୋଇଥିବାରୁ ମୋଦି ବାଂଲାଦେଶ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାସହ ସେ ଭଗତ ସିଂ, ରାଜଗୁରୁ, ଶୁକଦେବଙ୍କ ବିରତ୍ୱ ଓ ସାହସ କଥା କହିଥିଲେ।