ପୁଣି ନିୟନ୍ତ୍ରଣ ବାହାରେ ତେଲ ଦର: ୪ ବର୍ଷରେ ସର୍ବାଧିକ ସ୍ତର ଛୁଇଁଲା ପେଟ୍ରୋଲ

ନୂଆଦିଲ୍ଲୀ: ପୁଣି ନିୟନ୍ତ୍ରଣ ବାହାରେ ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର  ପ୍ରତି ୭୩.୭୩ ଟଙ୍କାରେ ପହଞ୍ଚିଛି। ତୈଳ ଦରର ବୃଦ୍ଧିରେ ଏହା ୪ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ସେହିପରି ଡିଜେଲ ଦରରେ ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ପାଇଛି।  ଡିଜେଲ ଲିଟର ପ୍ରତି ୬୪.୫୮ ଟଙ୍କାକୁ ଛୁଇଁଛି।  ସେହିପରି ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ପ୍ରତି ୭୨.୫୭ ଟଙ୍କା ରହିଛି। ଗତ ଜୁନମାସରେ ତୈଳ ଦର ଅଟୋ ମୁଡ୍‌ରେ ଦୈନିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ପ୍ରତିଦିନ ତୈଳ ଦର ପରିବର୍ତ୍ତନ ହୋଇ ଆସୁଛି।  ତେବେ ଆଜି ଲିଟର ପ୍ରତି ୧୮ ପଇସା ବୃଦ୍ଧି ହୋଇ ତେଲ ଦର ଅହେତୁକ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 73.73 ହୋଇଥିବା ବେଳେ ୨୦୧୪ ସେପ୍ଟେମ୍ବର ୧୪ରୁ ଏହା  ଦ୍ୱିତୀୟଥର ପାଇଁ ସର୍ବାଧିକ ସ୍ତରକୁ ଛୁଇଁଥିବା ଜଣାପଡ଼ିଛି।  କାରଣ ୨୦୧୪ ସେପ୍ଟେମ୍ବର ୧୪ରେ ଶେଷ ଥର ପାଇଁ ପେଟ୍ରୋଲ 76.06 ଟଙ୍କା ଏବଂ ଡିଜେଲ ଲିଟର ପ୍ରତି 64.58 ଟଙ୍କାରେ ପହଞ୍ଚିଥିଲା।

ତୈଳ ଦର ବୃଦ୍ଧି ପରେ ରୋକ ଲଗାଇବା ପାଇଁ ପୂର୍ବରୁ ତୈଳ ମନ୍ତ୍ରଣାଳୟ ପକ୍ଷରୁ  ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଗତ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ତୈଳ ମନ୍ତ୍ରଣାଳୟର ପ୍ରସ୍ତାବକୁ ନଜର ଅନ୍ଦାଜ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ସର୍ବାଧିକ ତୈଳ ବୃଦ୍ଧି ହେଉଥିବା ଦେଶ।  ୨୦୧୪ ଏବଂ ୨୦୧୬ରେ  ଏମିତି ଦୁଇଥର କେନ୍ଦ୍ର ଅର୍ଥମନ୍ତ୍ରୀ ତୈଳ ଉପରେ ଉତ୍ପାଦ ଶୁଳ୍ପ ବୃଦ୍ଧି କରିଛନ୍ତି।  ତେବେ ଗତ ଅକ୍ଟୋବର ମାସରେ ଟ୍ୟାକ୍ସ ହ୍ରାସ ପରେ ତେଲ ଲିଟର ପ୍ରତି ୨ ଟଙ୍କା ହ୍ରାସ ପାଇଥିଲା।  ଏହି ଟ୍ୟାକ୍ସ ହ୍ରାସ ପରେ ଭାରତ ସରକାରଙ୍କ ପକ୍ଷରୁ ତେଲ ଉପରେ ଭାଟ କମାଇବା ପାଇଁ ପ୍ରତି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଥିଲା।

ହେଲେ କେବଳ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହିମାଚଳପ୍ରଦେଶକୁ ଛାଡ଼ିଦେଲେ କେନ୍ଦ୍ର ପ୍ରସ୍ତାବ ଉପରେ ଅନ୍ୟ କେହି ରାଜି ହୋଇ ନଥିଲେ। ଅର୍ଥାତ ଏହି ୪ଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କେହି ରାଜ୍ୟ ସରକାର ଭାଟ୍‌ ହ୍ରାସ କରି ନ ଥିଲେ। ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୨ ଟଙ୍କା ହ୍ରାସ କରିଥିଲେ।