କମିପାରେ ପେଟ୍ରୋଲ ଦର ! ଜେଟଲୀ ଦେଇ ପାରନ୍ତି ଏହି ଗିଫ୍ଟ

ନୂଆଦିଲ୍ଲୀ: ଲଗାତାର ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବାରୁ  ଏହାର  ପ୍ରଭାବରେ ପେଟ୍ରୋଲ ଲିଟର ପ୍ରତି ୮୦ ଟଙ୍କାରେ ପହଞ୍ଚି ଯାଇଛି। ତେବେ ଆଜିର ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ଏହି ତେଲ ଦରକୁ ନେଇ ଆଶ୍ୱସ୍ତି ହେଲା ଭଳି  କିଛି ଖବର ଦେଇପାରନ୍ତି। କୁହାଯାଉଛି ତେଲ ଦର କମିବା ନେଇ ବଜେଟରେ ବ୍ୟବସ୍ଥା ହୋଇପାରେ। ଏନେଇ ଏକ୍‌ସାଇଜ୍‌ ଡ୍ୟୁଟି ହ୍ରାସ ନେଇ ତୈଳ ମନ୍ତ୍ରଣାଳୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।  ଯଦି ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବେ ତେବେ ଆପଣଙ୍କ ଉପରେ ପେଟ୍ରୋଲ ଏବଂ ଡିଜେଲ ଦରର ବୋଝ ହ୍ରାସ ହୋଇପାରେ। ଅନ୍ୟପଟେ ସରକାରଙ୍କ ପାଇଁ ଏହି କଠୋର ନିଷ୍ପତ୍ତି ନେବା ସହଜ ନୁହେଁ। କାରଣ ଏହା ଦ୍ୱାରା ସରକାରଙ୍କ ରାଜକୋଷ ଉପରେ ପ୍ରଭାବ ପଡ଼ିପାରେ। ଯେହେତୁ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ଅଧିକ ବୋଝ ପଡ଼ିବ ଏବଂ ଆର୍ଥିକ ବିପଦ ରହିଛି  ତେଣୁ ସରକାର ଏହି ନିଷ୍ପତ୍ତି ନେବାକୁ ବିଚାର କରିପାରନ୍ତି। ଏକସାଇଜ୍‌ ଡ୍ୟୁଟି ହ୍ରାସ ହେଲେ  ୩.୨ ପ୍ରତିଶତ ରାଜକୋଷ ହ୍ରାସ ହୋଇପାରେ। ଆଉ ମାର୍ଚ୍ଚମାସ ପରେ ସରକାରଙ୍କ ଉପରେ ଅଧିକ ଚାପ ପଡ଼ିବ। ତେଣୁ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କଷ୍ଟକର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ବିଶୋଧନ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ତୈଳ କମ୍ପାନୀ ଗୁଡ଼ିକୁ ଅଧିକ ଖର୍ଚ୍ଚ ଉଠାଇବାକୁ ପଡ଼ୁଛି।  ଫଳରେ ତେଳ ଦର ବଢୁଛି। ତେବେ ଆଜି ବଜେଟରେ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହା ଆଉ କିଛି ଘଣ୍ଟା ପରେ ଜଣାପଡ଼ିବ।