କମିଲା ପେଟ୍ରୋଲ ଓ ଡିଜେଲ ଦର: ସକାଳ ୬ରୁ ଲାଗୁ ହେବ ନୂଆ ମୂଲ୍ୟ

ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି। ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୧୨ ପଇସା ଓ ଡିଜେଲ ୧ଟଙ୍କା ୨୪ ପଇସା ହ୍ରାସ ପାଇଛି। ଆସନ୍ତାକାଲି ସକାଳ ୬ଟାରୁ ନୂଆ ଦର ଲାଗୁ ହେବ।

ଆସନ୍ତାକାଲିଠୁ ଦୈନିକ ଭିତ୍ତିରେ ପରିବର୍ତ୍ତନ ହେବ ପେଟ୍ରୋଲ ଓ ଡିଜେଲ ଦର। ତେବେ ମଧ୍ୟ ରାତି ପରିବର୍ତ୍ତେ ପ୍ରତିଦିନ ସକାଳ ୬ଟାରେ ପରିବର୍ତ୍ତିତ ତୈଳଦର ଲାଗୁ କରାଯିବ। ଡିଲର ଓ ଗ୍ରାହକଙ୍କୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ପରିବର୍ତ୍ତନର ଫାଇଦା ଦେବା ଲକ୍ଷ୍ୟରେ ଏହି  ବ୍ୟବସ୍ଥା ଲାଗୁ କରାଯାଉଛି।

ପୂର୍ବରୁ ମେ’ ୧ ତାରିଖରେ ପରୀକ୍ଷାମୂଳକ ଭାବେ ୫ଟି ସହରରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରତି ପେଟ୍ରୋଲ ପମ୍ପରେ ଦୈନିକ ଦର ପ୍ରଦର୍ଶିତ ହେବ। ଏହା ବ୍ୟତୀତ ଟୋଲ୍-ଫ୍ରି ନମ୍ବର, ସୋସିଆଲ ମିଡିଆ ପୋଷ୍ଟ, SMS ଆଲର୍ଟ ମାଧ୍ୟମରେ ମଧ୍ୟ ଗ୍ରାହକଙ୍କୁ ତୈଳ ଦର ଜଣାଇବା ଲାଗି ବ୍ୟବସ୍ଥା କରିଛନ୍ତି ପ୍ରମୁଖ ତୈଳ କମ୍ପାନୀ।

ଦୈନିକ ଦର ପରିବର୍ତ୍ତନ ବ୍ୟବସ୍ଥା ଲାଗୁରେ ରହିଥିବା ସମସ୍ୟାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ପୂର୍ବରୁ ଧର୍ମଘଟ ଧମକ ଦେଇଥିଲେ। ତେବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା।