ଏଲପିଜି ସବସିଡି ଓ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ସବସିଡି ପ୍ରତ୍ୟାହାର ଏବଂ ପ୍ରତି ମାସରେ ୪ ଟଙ୍କା ଦରବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ । ଏହାକୁ ନେଇ ଆଜି ରାଜ୍ୟସଭାରେ ପାଟିତୁଣ୍ଡ କରିଛନ୍ତି ବିରୋଧୀ ସଦସ୍ୟ।  ଆଜି ଉଚ୍ଚ ସଦନର ଶୂନ୍ୟକାଳରେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍ ଓବ୍ରିଆନ୍  ଏହି ପ୍ରସଙ୍ଗ ଉଠାଇଥିଲେ।  ସରକାର ସବସିଡି ପ୍ରତ୍ୟାହାର ଏବଂ ପ୍ରତିମାସ ୪ଟଙ୍କା ବଢାଇବା ନେଇ ଜାରି ବିଜ୍ଞପ୍ତିକୁ ନେଇ ସେ ପ୍ରଶ୍ନ କରିଥିଲେ।  ସରକାର ଏ ନେଇ ଗୃହକୁ ଜଣାଇ ନ ଥିବା ସେ କହିଥିଲେ। ଏହାକୁ ନେଇ ଅନ୍ୟ ବିରୋଧୀ ସଦସ୍ୟମାନେ ମଧ୍ୟ ପାଟିତୁଣ୍ଡ କରିଥିଲେ।  ଫଳରେ ଉପାଧ୍ୟକ୍ଷ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବି ଘୋଷଣା କରିଥିଲେ।  ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ପୁଣି ହଟ୍ଟଗୋଳ ହୋଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଉତ୍ତର ରଖିଥିଲେ ହେଁ ପାଟିତୁଣ୍ଡ ଜାରି ରହିବାକୁ ଗୃହକାର୍ଯ୍ୟକୁ ପୁଣି ୧୦ମିନିଟ୍ ମୁଲତବି ରଖାଯାଇଥିଲା।