ଦାନ୍ତେୱାଡ଼ା ନକ୍ସଲ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ନୂଆଦିଲ୍ଲୀ: ୪ ପୁଲିସ୍‌ କର୍ମଚାରୀ ଏବଂ ଜଣେ ବିଜେପି ବିଧାୟକଙ୍କ ଜୀବନ ନେଇଥିବା ଦାନ୍ତେୱାଡ଼ା ନକ୍ସଲ ଆକ୍ରମଣ ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି। ମୃତ ବିଧାୟକ ଭୀମା ମାଣ୍ଡବୀଙ୍କ ବିଷୟରେ ମୋଦି କହିଛନ୍ତି, ସେ ଜଣେ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କ ମୃତ୍ୟୁ ଯନ୍ତ୍ରଣାଦାୟକ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋଦି ସମବେଦନା ଜଣାଇଛନ୍ତି।

ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି, “ମନ ସ୍ତବ୍ଧ ହୋଇଯାଇଛି, କଣ୍ଠ ଶବ୍ଦହୀନ ହୋଇଯାଇଛି। ଆମେ ଭୀମା ମାଣ୍ଡବୀଙ୍କ ଭଳି ଜଣେ ସଚ୍ଚୋଟ ଜନସେବକଙ୍କୁ ହରାଇଛୁ। ଭଗବାନ ଭୀମା ଏବଂ ସହିଦ ବୀର ଯବାନଙ୍କ ଆତ୍ମାଙ୍କୁ ଶାନ୍ତି ଏବଂ ସେମାନଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। ଏହି ଶୋକାକୁଳ ପରିସ୍ଥିତିରେ ଆମେ ସେମାନଙ୍କ ସାଥିରେ ଅଛୁ।”

ଅନ୍ୟମାନଙ୍କ ମଧ୍ୟରେ ନ୍ୟାଗାଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରୀଓ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ବିଜେପି ବିଧାୟକ ଭୀମା ମାଣ୍ଡବୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।