ସଂସଦରେ ହୋ ହାଲ୍ଲା ଭଲ ନୁହେଁ: ପ୍ରଧାନମନ୍ତ୍ରୀ

ଆସନ୍ତାକାଲିଠୁ ଆରମ୍ଭ ହେବ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରରେ ଏହା ପ୍ରଥମ ସର୍ବଦଳୀୟ ବୈଠକ। ଏହି ବୈଠକରେ ସମ୍ବିଧାନର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଦେଶର କିଭଳି ବିକାଶ ହେବ, ସଂସଦ କିଭଳି ସୁରୁଖୁରୁରେ ଚାଲିବ, ସେସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ କଂଗ୍ରେସରୁ ଗୁଲାମ ନବୀ ଆଜାଦ୍, ଆନନ୍ଦ ଶର୍ମା, ବିଜୁ ଜନତା ଦଳରୁ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର ଏବଂ ଅନ୍ୟାନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ।

ଏହି ସର୍ବଦଳୀୟ ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ଦଳର ନେତାଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ଲୋକସଭା ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ କାମ କରିବ। ସଂସଦରେ ହୋ ହାଲ୍ଲା ପରିବର୍ତ୍ତେ କିଭଳି ଆଲୋଚନା ମାଧ୍ୟମରେ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ସର୍ବସମ୍ମତ ମତ ସୃଷ୍ଟି କରାଯାଇପାରିବ, ସେଥିପାଇଁ ଉଦ୍ୟମ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀ ଏହି ଅବସରରେ କହିଛନ୍ତି, ଦଳମତର ଉର୍ଦ୍ଧରୁ ଉଠି ସମସ୍ତ ସାଂସଦ ଗଣତନ୍ତ୍ରର ଏହି ମନ୍ଦିରରେ ହେଉଥିବା ଆଲୋଚନାରେ ଭାଗ ନେବେ। ଜୁନ ୧୯ ଏବଂ ୨୦ରେ ଉଭୟ ଗୃହର ସାଂସଦ ମାନେ ସରକାର ସହିତ ସଦନରେ ଆଲୋଚନା କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି।

ଆସନ୍ତାକାଲି ସଂସଦ ଆରମ୍ଭ ହୋଇ ୨୬ ଜୁଲାଇରେ ଶେଷ ହେବ। ଏହି ସମୟରେ ୧୯ ତାରିଖରେ ଲୋକସଭାର ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେବ। ବିଜେପି ପାଖରେ ଆବଶ୍ୟକତାରୁ ଅଧିକ ସଂଖ୍ୟକ ସାଂସଦ ଥିବାରୁ ବିଜେପିର କୌଣସି ସାଂସଦ ବାଚସ୍ପତି ହେବା ଏକ ପ୍ରକାର ଥୟ। ବାଚସ୍ପତି ନିର୍ବାଚନ ପରେ ଜୁଲାଇ ୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ। ସେହିପରି ଲୋକସଭା ଆରମ୍ଭ ହେବାର ପ୍ରଥମ ଦୁଇ ଦିନ ସମସ୍ତ ନିର୍ବାଚିତ ସାଂସଦ ମାନେ ଶପଥ ନେବେ। କାମଚଳା ବାଚସ୍ପତି ଡା. ଵୀରେନ୍ଦ୍ର କୁମାର ସମସ୍ତ ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାପରେ ୨୦ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ସମ୍ୱୋଧନ କରିବେ।

୧୬ତମ ଲୋକସଭା ଭାଙ୍ଗିବା ପୂର୍ବରୁ ସମ୍ୱିଧାନର ନିୟମ ଅନୁଯାୟୀ ଏକ ଅନ୍ତରୀଣ ବଜେଟ ସଂସଦରେ ଆଗତ ହୋଇଥିଲା। ତେଣୁ ନୂଆ ସରକାର ଏହି ଅଧିବେଶନରେ ଏକ ନୂଆ ବଜେଟ ଆଗତ କରିବେ।

ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୫୪୫ରୁ ୩୫୩ ସାଂସଦ ରହିଥିବା ବେଳେ ରାଜ୍ୟସଭାରେ ୨୪୫ ସାଂସଦ ମଧ୍ୟରୁ ଏନଡିଏ ପାଖରେ ୧୦୨ ସାଂସଦ ରହିଛନ୍ତି। ସଂଖ୍ୟା କମ୍ ଥିବାରୁ ୧୬ତମ ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍ ରାଜ୍ୟସଭାରେ ପାରିତ ହୋଇନପାରି ଲୋକସଭାକୁ ଫେରି ଆସିଥିଲା।

ବିଜେପି ପାଇଁ ଆଉ ଏକ ସମସ୍ୟା ପାଲଟିଛି ଏନଡିଏରେ ସାମିଲ ଥିବା ଜେଡିୟୁର ପରିବର୍ତ୍ତିତ ଆଭିମୁଖ୍ୟ। କାରଣ ରାଜ୍ୟସଭାରେ ଜେଡିୟୁ ତିନି ତଲାକ ବିଲ୍ ଏବଂ ଜମ୍ମୁ କଶ୍ମୀର ସମ୍ପର୍କିତ  ଆର୍ଟିକିଲ୍ ୩୭୦ର ଉଚ୍ଛେଦକୁ ବିରୋଧ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଘୋଷଣା କରିସାରିଛନ୍ତି।

ଗତ ଲୋକସଭାରେ କଂଗ୍ରେସ ପାଖରେ ମୋଟ ୪୨ ସାଂସଦ ଥିଲେ। ଚଳିତଥର ଏହା ବୃଦ୍ଧି ପାଇ ୫୨ରେ ପହଞ୍ଚିଛି। ହେଲେ ଏଯାଏ ସଂସଦର ଉଭୟ ସଦନରେ କିଏ କିଏ କଂଗ୍ରେସ ଦଳର ନେତା ହେବେ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ରାଜ୍ୟସଭାରେ ପୂର୍ବଭଳି ଗୁଲାମନବୀ ଆଜାଦ୍ ନେତା ରହିବେ ବୋଲି ସୂଚନା ମିଳିଥିବା ବେଳେ ଲୋକସଭାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ସଂସଦୀୟ ଦଳର ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧି ମଧ୍ୟ ଲୋକସଭାରେ ଦଳର ନେତା ହେବେ ବୋଲି ଆଲୋଚନା ହେଉଥିଲା କିନ୍ତୁ ସେ ଏଥିରେ ରାଜି ନଥିବା ଜଣାପଡ଼ିଛି।