ଭାଇରାଲ୍‌ ହେଉଛି ମୋଦିଙ୍କ ଏହି ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ସେଲଫିକୁ ଟ୍ରେଣ୍ଡ କରାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଫଟୋ ଏବଂ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ମୋଦି ଜଣେ ନବ ବିବାହିତ ଦମ୍ପତିଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଉବେର କୁଲ ସେଲଫିର ଆଖ୍ୟା ଦିଆଯାଇଛି।

ଗତକାଲି ରାତିରେ ହିନ୍ଦୀ ଧାରାବାହିକ ଏ ରିସ୍ତା କ୍ୟା କେହେଲାତୈର ଅଭିନେତ୍ରୀ ମୋହେନା କୁମାରୀ ସିଂହଙ୍କ ରିସେପସନ୍‌ ପାର୍ଟି ଦିଲ୍ଲୀରେ ଆୟୋଜିତ ହୋଇଥିଲା। ସେ ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ।

ମୋଦି ମଧ୍ୟ ଏହି ଟେଲି ଅଭିନେତ୍ରୀଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଛାଇ ନଥିଲେ। ମୋଦିଙ୍କୁ ପାଖରେ ପାଇ ମୋହେନା ଓ ତାଙ୍କ ସ୍ୱାମୀ ସୁୟେଶ ରାୱତ ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ସେଲଫି ନେବାକୁ ଆଦୌ ଭୁଲି ନଥିଲେ।

ମୋଦି ମଧ୍ୟ ଏଥିପାଇଁ କୁଣ୍ଠାବୋଧ ପ୍ରକାଶ କରି ନଥିଲେ। ମୋହେନା ଓ ସୁୟେଶଙ୍କ ପରିବାର ଲୋକ ମଧ୍ୟ ମୋଦିଙ୍କ ସହ ସେଲଫି ନେଇଥିଲେ। ଏହି ଫଟୋକୁ ମୋହେନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ଟିମ ମୋହେନା ସିଂହ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି।

ମୋହେନା ଓ ସୁୟେଶ ଅକ୍ଟୋବର ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦିଲ୍ଲୀରେ ରିସେପସନ ପାର୍ଟି ଦେବା ପୂର୍ବରୁ ମୋହେନା ତାଙ୍କ ହୋମ ଟାଉନ ରେୱାରେ ମଧ୍ୟ ଭୋଜିଭାତର ଆୟୋଜନ କରିଥିଲେ।