ସନ୍ତାନ ସଂଖ୍ୟା ନିୟନ୍ତ୍ରଣ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶବାସୀଙ୍କୁ ପରିବାର ନିୟୋଜନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ଦେଶର ଜନସଂଖ୍ୟା ବିସ୍ଫୋରକ ଢଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି। ଆମେ ଏହାକୁ ନେଇ ଚିନ୍ତା କରିବା ଦରକାର।

ପିଲା ଜନ୍ମ ହେବା ଆଗରୁ ଆମକୁ ଚିନ୍ତା କରିବାକୁ ହେବ, କ’ଣ ଆମେ ଆମ ପାଖରେ ପିଲାମାନଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିପାରିବାର କ୍ଷମତା ଅଛି ? ଏବେ ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ପାଇଁ ବିଶାଳ ସଚେତନତା ସୃଷ୍ଟି ହେବା ଦରକାର। ପରିବାର ନିୟୋଜନ ଯୋଜନାକୁ ସମସ୍ତେ ପାଳନ କରିବା ଦରକାର।”

ପ୍ରଧାନମନ୍ତ୍ରୀ କହିଛନ୍ତି, “ଜନସଂଖ୍ୟା ବିସ୍ଫୋରଣ ବା ଏଥିରେ ଅସ୍ୱାଭାଵିକ ବୃଦ୍ଧି ଆମର ଭବିଷ୍ୟତ ପିଢ଼ିଙ୍କୁ ଅଡ଼ୁଆରେ ପକାଇ ପାରେ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହାକୁ ରୋକିବା ପାଇଁ ଯୋଜନା ପ୍ରଣୟନ କରିବା ଦରକାର। ଶିଶୁମାନଙ୍କୁ ବିଶ୍ୱକୁ ଆଣିବା ପୂର୍ବରୁ କିଛି ଲୋକ ଆଦୌ ଚିନ୍ତା କରୁନାହାନ୍ତି। ସେମାନେ ଦୁନିଆକୁ ଆସୁଥିବା ଶିଶୁ ପ୍ରତି ଉପଯୁକ୍ତ ଧ୍ୟାନ ଓ ନ୍ୟାୟ ଦେଇ ପାରିବେ କି?

ସେମାନଙ୍କ ସମସ୍ତ ଆଶା ପୂରଣ କରିପାରିବେ କି? କେହି ବି ଏକଥା ଚିନ୍ତା କରୁନାହାନ୍ତି। ଯେଉଁମାନେ ପରିବାର ନିୟନ୍ତ୍ରଣ କଥା ବୁଝିଛନ୍ତି, ସେମାନେ ପ୍ରକୃତରେ ଦେଶଭକ୍ତ। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ସମସ୍ତେ ବୁଝିବା ଦରକାର।”