ଯୁବବର୍ଗଙ୍କୁ ପ୍ରେରଣା ଦେବ ଚନ୍ଦ୍ରଯାନ-୨: ମୋଦି

ନୂଆଦିଲ୍ଲୀ: ରବିବାର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-୨ଅଭିଯାନକୁ ଭୁରିଭୁରି ପ୍ରଶଂସା କରିବା ସହ ଏହା ଭାରତର ଯୁବବର୍ଗଙ୍କୁ ବିଜ୍ଞାନ ଏବଂ ଉଦ୍ଭାବନ ଦିଗରେ ଆଗ୍ରହୀ ହେବା ପାଇଁ ପ୍ରେରଣା ଦେବ ବୋଲି କହିଛନ୍ତି। ଏହି ୨୫ ମିନିଟ୍‌ର ଭାଷଣରେ ସେ ଆଗାମୀ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସକୁ ଉତ୍ସାହ ଏବଂ ସ୍ୱତନ୍ତ୍ର ପ୍ରସ୍ତୁତିର ସହିତ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। କଶ୍ମୀର ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଘୃଣା ସୃଷ୍ଟି କରି କଶ୍ମୀରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକେ ସଫଳ ହେବେ ନାହିଁ। ଗୁଳି ଏବଂ ବୋମାର ଶକ୍ତିଠାରୁ ବିକାଶର ଶକ୍ତି ଯଥେଷ୍ଟ ଅଧିକ।

ଚନ୍ଦ୍ରଯାନ-୨ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ଦୃଢ଼ ବିଶ୍ୱାସ ଚନ୍ଦ୍ରଯାନ-୨ର ସଫଳତାରେ ଆପଣମାନଙ୍କୁ ଗର୍ବ ଅନୁଭବ ହୋଇଥିବ। ମହାକାଶ କ୍ଷେତ୍ରରେ ୨୦୧୯ ମସିହା ଆମ ଦେଶ ପାଇଁ ସଫଳତାର ବର୍ଷ। ଏହି ବର୍ଷ ହିଁ ଆମେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରିଛେ। ୨୨ ଜୁଲାଇରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୨ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ଏହା ଆମକୁ ଭବିଷ୍ୟତରେ ଚନ୍ଦ୍ର ବାବଦରେ ଅନେକ ତଥ୍ୟ ଦେବ। ଆପମଣମାନେ ଜାଣି ଖୁସିହେବେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ମିଶନ୍‌। ଆମ ବୈଜ୍ଞାନିକ ସର୍ବଶ୍ରେଷ୍ଠ ଏବଂ ବିଶ୍ୱସ୍ତରର।”

ଦେଶର ପ୍ରଥମ ରାଜ୍ୟ ଭାବେ ‘ଜଳ ନୀତି’କୁ ଆପଣାଇଥିବା ମେଘାଳୟକୁ ସେ ଏହି ଅବସରରେ ପ୍ରଶଂସା କରିବା ସହ ‘ଜଳ ନୀତି’ର ଆବଶ୍ୟକତା ବାବଦରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଥିଲେ, ଏହା ପାର୍ବଣର ଋତୁ। ଏହି ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ମେଳାରେ ବହୁତ ଗହଳି ହେବ। ଏହି ସବୁ ସ୍ଥାନରେ ଆମେ ପଥପ୍ରାନ୍ତ ନାଟକ ଏବଂ ଅନ୍ୟ ଉପାୟରେ ଜଳ ସଂରକ୍ଷଣର ଘୋର ଆବଶ୍ୟକତା ବିଷୟରେ ଲୋକମାନଙ୍କୁ ବୁଝାଇପାରିବା।

ସେ କଶ୍ମୀରରେ ‘ବ୍ୟାକ୍‌ ଟୁ ଭିଲେଜ୍‌’ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସରକାରୀ ଅଧିକାରୀମାନେ ବହୁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ସୋପିଆନ୍‌, ପୁଲ୍‌ୱାମା ଏବଂ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳର ଗାଁଗୁଡ଼ିକରେ ଗ୍ରାମ ସଭା ଆୟୋଜନ କରାଯାଇଥିଲା ଏବଂ ଅଧିକାରୀମାନେ ୨ ଦିନ ୨ ରାତି ସେଠାରେ ବିତାଇଥିଲେ।

ମୌସୁମୀ ଆସିବା ଏବଂ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ରହିଥିବା ସେ ଉଲ୍ଲେଖ କରିଥିଲେ। ବିଶେଷ କରି ଅମରନାଥ ଯାତ୍ରା ସମ୍ପର୍କରେ ସେ ମତ ରଖିଥିବାବେଳେ ରକ୍ଷା ବନ୍ଧନ ଏବଂ ଜନ୍ମାଷ୍ଟମୀ ବାବଦରେ କେତେକ କଥା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ସ୍ଥାନକୁ ଯାତ୍ରା କରିବାଠାରୁ ବଡ଼ କିଛି ଶିକ୍ଷକ ନାହିଁ। ଦେଶର ବିଭିନ୍ନ ନାଗରିକ କିଭଳି ବିଭିନ୍ନ ବହି ପଢ଼ି ଏ ବିଷୟରେ ତାଙ୍କୁ ଜଣାଉଛନ୍ତି ସେ କଥା ମଧ୍ୟ ମୋଦି ଉଲ୍ଲେଖ କରିଥିଲେ। ସେ କହିଥିଲେ, ସେ ବର୍ତ୍ତମାନ ଏତେ ପଢ଼ିବାକୁ ସମୟ ପାଉ ନାହାନ୍ତି, କିନ୍ତୁ ଏହି ସବୁ ବ୍ୟକ୍ତିମାନଙ୍କ ପାଇଁ ସେ ଅନେକ ବହି ବାବଦରେ ଜାଣିପାରୁଛନ୍ତି। ଶେଷରେ ସେ ସମସ୍ତଙ୍କ ସୁସ୍ଥତା କାମନା କରିବା ସହ ଚନ୍ଦ୍ରଯାନ-୨ ସମ୍ପର୍କିତ ଏକ କ୍ୱିଜ୍‌ରେ ଭାଗ ନେବାକୁ କହିଥିଲେ। ଏଥିରେ ଭାଗ ନେବା ପରେ ସବୁଠାରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ବୈଜ୍ଞାନିକମାନଙ୍କ ସହ ବସି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାର ସୁଯୋଗ ପାଇପାରିବେ।