ଚାଷୀ, ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତଙ୍କ ପାଇଁ ପେନ୍‌ସନ୍‌ର ଶୁଭାରମ୍ଭ କଲେ ମୋଦି, ମିଳିବ ସର୍ବନିମ୍ନ ୩୦୦୦ ଟଙ୍କା

ରାଞ୍ଚି: ୨୦୧୯ ମସିହାର ସାଧାରଣ ବଜେଟ୍‌ର ଘୋଷଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ, ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ପେନ୍ସନ୍ର ଶୁଭାରମ୍ଭ କରିଛନ୍ତି। ଝାରଖଣ୍ଡ ରାଞ୍ଚିଠାରେ ଏକ କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ କିଷାନ୍‌ ମନ୍‌ଧନ୍‌ ଯୋଜନା’, ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମନ୍‌ଧନ୍‌ ଯୋଜନା’ ଏବଂ ‘ସ୍ୱରୋଜଗାର’ ଯୋଜନାର ଶୁଭରାମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ‘ପ୍ରଧାନମନ୍ତ୍ରୀ କିଷାନ୍‌ ମନ୍‌ଧନ୍‌ ଯୋଜନା’ ଯୋଜନାରେ ୧୮ରୁ ୪୦ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ରୀ ଚାଷୀ ସାମିଲ ହୋଇପାରିବେ। ୬୦ବର୍ଷ ବୟସରୁ ଅଧିକ ବର୍ଷର ଚାଷୀଙ୍କୁ ଏହି ଯୋଜନାରେ ସର୍ବନିମ୍ନ ମାସିକ ୩ହଜାର ଟଙ୍କା ପେନସନ ମିଳିବ । ତେବେ ଏଥିପାଇଁ ଚାଷୀଙ୍କୁ ନିଜର ବୟସ ଅନୁସାରେ ସର୍ବନିମ୍ନ କିସ୍ତି ମଧ୍ୟ ଦେବାକୁ ପଡ଼ିବ। ଚାଷୀମାନେ ଚାହିଁଲେ ସେମାନଙ୍କର ମାସିକ କିସ୍ତିକୁ ପିଏମ-କିଷାନ ଓ ସହଜ ଜନସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ପ୍ରଦାନ କରିପାରିବେ। ଏହି ପାଇଁ ୧୦,୭୭୪କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ସାରା ଦେଶ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ, ୨ ହେକ୍ଟର ବା ତା’ଠାରୁ କମ୍‌ ଜମି ଥିବା ଲୋକେ ଫାଇଦା ଉଠାଇପାରିବେ।

ସେହିଭଳି ଯେଉଁ ବ୍ୟବସାୟୀ ବା ଆତ୍ମ ନିଯୁକ୍ତ ବ୍ୟକ୍ତିଙ୍କର ବାର୍ଷିକ କାରବାର ୧.୫ କୋଟି ଥିବ, ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୩ ହଜାର ଟଙ୍କାର ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ୧୮ରୁ ୪୦ବର୍ଷ ବୟସର ବ୍ୟକ୍ତିମାନେ ସାମିଲ ହୋଇପାରିବେ। କେବଳ ପେନ୍‌ସନ୍‌ ସ୍କିମ୍‌ ପାଇଁ ସରକାର ୨୦୧୯-୨୦ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୩-୨୪ ସୁଦ୍ଧା ଏହାକୁ ୨ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।


ଏଥିପାଇଁ ଆବେଦନ କରୁଥିବା ଲୋକେ ମାସିକିଆ କିସ୍ତିରେ ପ୍ରିମିଅମ୍‌ ଭରିବାକୁ ହେବ। ତେବେ ଏହାର ପରିମାଣ ପ୍ରାୟ ୧୦୦ ଟଙ୍କା ରହିବ ଏବଂ ସରକାର ବୃହତ୍‌ ପରିମାଣର ବ୍ୟୟଭାର ସମ୍ଭାଳିବେ। ଏହାକୁ ବାଣିଜ୍ୟିକ ସଂଗଠନ ମାନେ ସ୍ୱାଗତ କରିଛନ୍ତି। କିନ୍ତୁ ସେମାନେ ଦାବି କରିଛନ୍ତି ବୟସ ସୀମା ୪୧-୫୫ ରଖିଲେ ପ୍ରକୃତ ହିତାଧିକାରୀ ଅଧିକ ଫାଇଦା ପାଇପାରିବେ। ଅନ୍ୟପକ୍ଷରେ ପୂର୍ବରୁ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଘୋଷଣା କରିଥିଲେ। ଏଥିରେ ୪ ମାସରେ ଥରେ ୨୦୦୦ ଟଙ୍କା, ଅର୍ଥାତ ବାର୍ଷିକ ୬୦୦୦ ଟଙ୍କାର କୃଷି ସହାୟତା ଦେବାକୁ ନିଷ୍ପତ୍ତି ହୋଇଥିଲା। ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଣ୍ଟକୁ ଏହି ଟଙ୍କା ଆସିବାର ବ୍ୟବସ୍ଥା ହୋଇଥିଲା।

ତେବେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ମାତ୍ର ୩୦.୮୦ଲକ୍ଷ ଚାଷୀ ପିଏମ୍ କିଷାନ ଯୋଜନାରେ ସାମିଲ ହୋଇପାରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ‘କାଳିଆ’ ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ଉପକୃତ କରିବା ଲକ୍ଷ୍ୟ ରଖିଥିବାବେଳେ କେନ୍ଦ୍ରର ‘ପିଏମ କିଷାନ’ ଯୋଜନା ପାଇଁ ଅଧିକ ସଂଖ୍ୟକ ଯୋଗ୍ୟ ଚାଷୀଙ୍କ ତାଲିକା ପଠାଇବାରେ ସକ୍ଷମ ହୋଇନାହାନ୍ତି।