ଓଡ଼ିଶା ସମେତ ୭ ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଞ୍ଚ-ପ୍ରଗତି ଜରିଆରେ ୩୦ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ମୋଦି-୨ ସରକାର କ୍ଷମତାକୁ ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରଗତି ବୈଠକ। ମୋଦି-୧ ସରକାର ସମୟରେ ପ୍ରଧାନମନ୍ତ୍ରୀ ୨୯ଟି ପ୍ରଗତି ବୈଠକ କରିଥିଲେ। ଏଥିରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ୨୫୭ଟି ପ୍ରକଳ୍ପର କ୍ରମବର୍ଦ୍ଧନଶୀଳ ସମୀକ୍ଷା କରାଯାଇଥିଲା। ୪୭ଟି କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରାଯାଇଥିଲା। ୧୭ଟି କ୍ଷେତ୍ର ତଥା ୨୧ଟି ବିଷୟବସ୍ତୁ ଉପରେ ସାଧାରଣ ଅଭିଯୋଗର ସମାଧାନ ମଧ୍ୟ ସମୀକ୍ଷା କରାଯାଇଥିଲା।

ଆଜି ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ସଂକ୍ରାନ୍ତ ଅଭିଯୋଗ ଗୁଡ଼ିକର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୨ ସୁଦ୍ଧା ଯେପରି କୌଣସି ଗୋଟିଏ ପରିବାର ବାସହୀନ ନ ରହିବେ, ସେ ପ୍ରତିଶ୍ରୁତିକୁ ମୋଦି ଆଜି ପୁଣି ଗୁରୁତ୍ୱ ଦେଇଥିଲେ।

ଏହି ଲକ୍ଷ୍ୟ ଦିଗରେ ତତ୍ପରତା ପୂର୍ବକ କାର୍ଯ୍ୟ କରିବା ଏବଂ ଏ କ୍ଷେତ୍ରରେ ଆସୁଥିବା ସମସ୍ତ ବାଧା ଦୂର କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଆର୍ଥିକ ସେବା ବିଭାଗ ସହ ଜଡ଼ିତ ସାଧାରଣ ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ମଧ୍ୟ ମୋଦି ସମୀକ୍ଷା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୩୫ ଲକ୍ଷ ହିତାଧିକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇସାରିଛନ୍ତି ଏବଂ ୧୬ ହଜାରରୁ ଅଧିକ ଡାକ୍ତରଖାନା ଏହି ଯୋଜନାରେ ସାମିଲ ହୋଇଛନ୍ତି ।

ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଏହି ଯୋଜନାର ଲାଭ ଏବଂ ସକାରାତ୍ମକ ପ୍ରଭାବ ଜାଣିବା ଲାଗି ଏକ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ଏହି ଯୋଜନାର ସାମୟିକ ଠକେଇ ଏବଂ ଅପବ୍ୟବହାର ରୋକିବା ଲାଗି କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେ ସଂପୃକ୍ତ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି।

ଜଳ ଶକ୍ତିର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଚଳିତ ମୌସୁମୀ ଋତୁରେ ଜଳ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ରେଳ ଏବଂ ସଡ଼କ କ୍ଷେତ୍ରରେ ଆଠଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ହିମାଚଳ ପ୍ରଦେଶ ଓ ଗୁଜରାଟରେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଜାରି ରହିଛି।