ପ୍ରତାପ ଷଡ଼ଙ୍ଗୀ ଯେଭଳି ପ୍ରସ୍ତୁତ ହୋଇଥିଲେ ଏବଂ ଉପସ୍ଥାପନ କଲେ, ମୁଁ ନ କହିଥିଲେ ମଧ୍ୟ ଚଳିଥାନ୍ତା: ମୋଦି

‘କ୍ଷମତା ଦଖଲ ପାଇଁ ଇମର୍ଜେନ୍ସିବେଳେ ଭାରତର ଆତ୍ମାକୁ ଦଳି ଦିଆଯାଇଥିଲା’

ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ‘ଧନ୍ୟବାଦ ପ୍ରସ୍ତାବ’ ଆଗତ କରିଥିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା, ସଂସଦକୁ ପ୍ରଥମ ଥର ଆସିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ଯେଉଁ ଢଙ୍ଗରେ ସେ ଉପସ୍ଥାପନ କଲେ, ତା’ପରେ ମୁଁ କିଛି କହିବାର ଆବଶ୍ୟକତା ନାହିଁ ବୋଲି ଭାବୁଛି। ସେ ଏହି ଅବସରରେ ମହାରାଷ୍ଟ୍ରର ସାଂସଦ ତଥା ଆଦିବାସୀ ନେତ୍ରୀ ଡକ୍ଟର ହିନା ଗାବିତଙ୍କ ଉପସ୍ଥାପନାକୁ ମଧ୍ୟ ପ୍ରଧାନମନ୍ତ୍ରୀ ବେଶ୍‌ ପ୍ରଶଂସା କରିଥିଲେ।


ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀ ଷଡ଼ଙ୍ଗୀଙ୍କ ସମେତଏଥିରେ ଭାଗ ନେଇଥିବା ବିଭିନ୍ନ ଦଳର ସମସ୍ତ ୬୦ ସାଂସଦଙ୍କୁ ମୋଦି ଧନ୍ୟବାଦ ଦେଇଥିଲେ। ଜୁନ୍‌ ୨୫ ଅର୍ଥାତ ଆଜିର ଦିନରେ ସମଗ୍ର ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ଶାସନ ବା ଇମର୍ଜେନ୍ସିର ସ୍ମୃତିଚାରଣ କରି ତତ୍କାଳୀନ କଂଗ୍ରେସ ସରକାରଙ୍କ ଉପରେ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି। ସେ କହିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରିବା ସହ ନ୍ୟାୟପାଳିକାକୁ ଅମାନ୍ୟ କରି ସମ୍ବିଧାନର ଅବମାନନା କରାଯାଇଥିବା ସେହିସବୁ ଦିନ କେବେ ମଧ୍ୟ ଭୁଲିହେବନି। ଯେକୌଣସି ମତେ କ୍ଷମତାରେ ରହିବା ପାଇଁ ଭାରତର ଆତ୍ମାକୁ ଦଳିମକଚି ଦେବାର ଚେଷ୍ଟା କରାଯାଇଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ସେହି ଦିନଗୁଡ଼ିକ ପାଇଁ ଦାୟୀ ଲୋକଙ୍କୁ କେବେ ମଧ୍ୟ କ୍ଷମା ଦେଇ ହେବନାହିଁ।

ସେ କହିଥିଲେ ନୂଆ ଏବଂ ଅନୁଭବୀ, ଉଭୟ ବର୍ଗର ସାଂସଦ ଏହି ଚର୍ଚ୍ଚାକୁ ଆଗକୁ ନେବାରେ ବଡ଼ ଭୂମିକା ନେଇଥିଲେ। ଅଧୀର ରଞ୍ଜନ ଚୌଧୁରୀ, ଟିଆର ବାଲୁ, ଦୟାନିଧି ମାରାନ୍, ସୌଗତ୍‌ ରାୟ, ମହୁଆ ମିତ୍ର ଏବଂ ପିନାକୀ ମିଶ୍ର ଆଦି ସାଂସଦ ଏହି ଆଲୋଚନାରେ ଭାଗ ନେଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

ମୋଦି ଏହି ଅବସରରେ କହିଛନ୍ତି, ମୁଁ ସମ୍ଭବତଃ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଲାଲକିଲ୍ଲାରୁ ଏବଂ ସଂସଦ ଗୃହରେ କହିସାରିଛି ଯେ ଦେଶର ବିକାଶରେ ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ସରକାରମାନଙ୍କର ବଡ଼ ଭୂମିକା ରହିଛି। କିନ୍ତୁ କଂଗ୍ରେସ, କେବଳ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତାଙ୍କ ଅବଦାନକୁ ଯେ ଭୁଲି ଯାଇଛି, ତା’ନୁହେଁ, ନିଜ ଦଳର ବଡ଼ ନେତାଙ୍କ ଅବଦାନକୁ ମଧ୍ୟ ଭୁଲିଯାଇଛି। କଂଗ୍ରେସ ଲୋକସଭାରେ ନିଜ ସରକାରର ବିକାଶ ବା ସଫଳତା ବାବଦରେ କହିବା ସମୟରେ ପିଭି ନରସିଂହ ରାଓ ଏବଂ ମନମୋହନ ସିଂହଙ୍କ ଭଳି ନିଜ ଦଳର ବଡ଼ ବଡ଼ ନେତାଙ୍କ ନାମ ଭୁଲିଯାଇଥାଏ ବୋଲି ସେ କହିଛନ୍ତି। ଏହାର କାରଣ ପରିବାର (ଗାନ୍ଧି-ନେହରୁ) ବାହାରୁ କାହା ନାଁ ସେମାନେ ନେଇପାରିବେ ନାହିଁ।

ଗତକାଲି ପ୍ରତାପ ଷଡ଼ଙ୍ଗୀ କଂଗ୍ରେସକୁ ନିଜ ଶୈଳୀରେ ଆକ୍ରମଣ କରିବା ସହ ‘ଶ୍ରେୟ’ ନେବାର ରାଜନୀତି ବାବଦରେ ମତ ରଖିଥିଲେ। ସେ କହିଥିଲେ ଯୁଦ୍ଧ ସମୟରେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଦୁର୍ଗା ଭାବେ ସମ୍ବୋଧନ କରିବାକୁ ଭୁଲିନଥିଲେ। କିନ୍ତୁ ବର୍ତ୍ତମାନର କଂଗ୍ରେସ ଦଳ ଭଲ କାମର ପ୍ରଶଂସା କରିବାକୁ ଏତେ କୁଣ୍ଠାବୋଧ କାହିଁକି କରୁଛନ୍ତି ବୋଲି ପଚାରିଥିଲେ।