‘ୱାନ୍‌ ନେଶନ୍‌ ୱାନ୍‌ ଇଲେକ୍ସନ୍‌’ ପାଇଁ ପ୍ରଧାନମନ୍ତ୍ରୀ ଗଢ଼ିବେ କମିଟି

ନୂଆଦିଲ୍ଲୀ: ପ୍ରସ୍ତାବିତ ‘ୱାନ୍‌ ନେଶନ୍‌ ୱାନ୍‌ ଇଲେକ୍ସନ୍‌’ ନିର୍ବାଚନୀ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କମିଟି ଗଢ଼ିବେ। ଏହି କମିଟି ନିର୍ଦ୍ଦିଷ୍ଟ ଅବଧିରେ ‘ୱାନ୍‌ ନେଶନ୍‌ ୱାନ୍‌ ଇଲେକ୍ସନ୍‌’ର ବିଭିନ୍ନ ଦିଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଆଗାମୀ ପଦକ୍ଷେପ ବାବଦରେ ସୁପାରିସ୍ କରିବେ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆଜିର ଏହି ବୈଠକକୁ ୪୦ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ୨୧ ଦଳ ଯୋଗ ଦେଇଥିଲେ। ୩ଟି ଦଳ ଲିଖିତ ଆକାରରେ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ଲୋକସଭାରେ ସବୁଠାରୁ ବଡ଼ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏଥିରେ ଯୋଗଦେଇନଥିଲେ।

ଆଜି ସର୍ବଦଳୀୟ ମିଟିଂ ପରେ ଗଣମାଧ୍ୟମକୁ ରାଜନାଥ କହିଛନ୍ତି, ପ୍ରାୟ ସମସ୍ତ ଦଳ ଲୋକସଭା ଏବଂ ରାଜ୍ୟ ବିଧାନସଭାର ନିର୍ବାଚନ ଏକ ସଙ୍ଗେ କରିବା ପାଇଁ ରାଜି ହୋଇଛନ୍ତି। ସେ କହିଛନ୍ତି, ଏକସଙ୍ଗେ ଯୁଗ୍ମ ନିର୍ବାଚନର କାର୍ଯ୍ୟକାରିତାକୁ ନେଇ ସିପିଆଇ ଏବଂ ସିପିଏମ୍‌ ଭଳି ଦଳମାନେ ଯଦିଓ ଭିନ୍ନ ମତ ପୋଷଣ କରିଛନ୍ତି, ସେମାନେ ଏହାକୁ ବିରୋଧ କରିନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକସଙ୍ଗେ ନିର୍ବାଚନକୁ ସମର୍ଥନ ଦେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ମୋଦିଙ୍କ ପ୍ରସ୍ତାବକୁ ସ୍ଵାଗତ କରି ନବୀନ କହିଥିଲେ ଯେ, ବାରମ୍ବାର ନିର୍ବାଚନ ହେବା ଯୋଗୁ ବିକାଶର ଗତି ବାଧାପ୍ରାପ୍ତ ହେବାସହ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଘାତ ଲାଗୁଛି। ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ବିଜେଡି ପୂର୍ଣ୍ଣ ସମର୍ଥନ କରୁଛି। କୌଣସି ରାଜନୀତିକ ଦଳକୁ ଏହା ସୁହାଉ କି ନ ସୁହାଉ କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତ ଦଳ ସମର୍ଥନ କରିବା ଉଚିତ୍।

କଂଗ୍ରେସ ଏହି ବୈଠକକୁ ଆସିନଥିଲେ ମଧ୍ୟ ଏହି ଦଳର ମିଲିନ୍ଦ ଦେଓରାଙ୍କ ଭଳି ନେତା ଏକ ସଙ୍ଗେ ନିର୍ବାଚନକୁ ସମର୍ଥନ କରିଛନ୍ତି ଏବଂ ଏହା ଉପରେ ଲୋକସଭାରେ ଆଲୋଚନା ହେଉ ବୋଲି କହିସାରିଛନ୍ତି। ସେ କହିଛନ୍ତି, ଲଗାତାର ନିର୍ବାଚନ ସୁଶାସନର ବାଟ ଓଗାଳିଥାଏ। ଏହା ଫଳରେ ରାଜନେତାମାନେ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି। ସେ ‘ୱାନ୍‌ ନେଶନ ୱାନ୍‌ ଇଲେକ୍ସନ୍‌’କୁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ସଂସ୍କାର’ କହିବା ସହ ସରକାର ସମସ୍ତ ରାଜନୀତିକ ଦଳଙ୍କ ସହ ବିସ୍ତୃତ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ସରକାର ନିର୍ବାଚନ ସହିତ ଜଡ଼ିତ ବୁଦ୍ଧିଜୀବୀ, ସଂଗଠନ ଏବଂ ଛାତ୍ରମାନଙ୍କଠାରୁ ମତାମତ ସଂଗ୍ରହ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ମିଲିନ୍ଦ ଯୁକ୍ତି ଦର୍ଶାଇ କହିଥିଲେ, ଯଦି ଏପରି ହେଲେ କେନ୍ଦ୍ରରେ କ୍ଷମତାରେ ଥିବା ସରକାରଙ୍କୁ ଫାଇଦା ହେଉଥାନ୍ତା, ତା’ହେଲେ ଆନ୍ଧ୍ର ଓ ଓଡ଼ିଶାରେ ବିଜେପି ବା ଏହା ସହ ମେଣ୍ଟରେ ନଥିବା ଦଳ କିଭଳି ଜିତିଲେ।

ଆଜିର ଏହି ବୈଠକରେ ଯୋଗଦେଇନଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଯଦି ଇଭିଏମ୍‌ ଉପରେ ବୈଠକ ହୋଇଥାନ୍ତା ସେ ଆସିଥାନ୍ତେ। ବ୍ୟାଲଟ୍‌ ପେପର ବଦଳରେ ଇଭିଏମ୍‌ରେ ନିର୍ବାଚନ କରିବାର ଜିଦ୍‌ଖୋର ମନୋଭାବ ହିଁ ଗଣତନ୍ତ୍ର ପାଇଁ ବିପଦ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି କହିଥିଲେ, ଗୋଟିଏ ବୈଠକ ଯଥେଷ୍ଟ ନୁହେଁ। ଏଥିପାଇଁ କେନ୍ଦ୍ର ସରକାର ଏକ ଶ୍ୱେତ ପତ୍ର ଜାରି କରନ୍ତୁ। ଯାହାଫଳରେ ଦଳମାନେ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ନିଜ ନିଜର ମତ ରଖିପାରିବେ।

ଆଜିର ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଯୋଗ ଦେଇନଥିଲେ। ଆପ୍‌ ପାଇଁ ରାଘବ ଚଢ଼ା ଏବଂ ଟିଡିପି ପାଇଁ ଜୟଦେବ ଗଲ୍ଲା ଆସିଥିଲେ। ସେହିଭଳି ଟିଆରଏସ୍‌ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟି ରାମା ରାଓଙ୍କୁ ପଠାଇଥିଲେ। କେସିଆର ଏହି ପ୍ରସଙ୍ଗରେ କହିଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି କିଛି ଫାଇଦା ନାହିଁ। ଆମେ ରାଜ୍ୟ ପାଇଁ ଟଙ୍କାଟିଏ ବି ପାଇନାହୁଁ।