ମୋଦିଙ୍କ ଦ୍ୱିତୀୟ ସରକାରର ପ୍ରଥମ ‘ମନ୍ କୀ ବାତ୍’: ଜଳ ସଂରକ୍ଷଣକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ ଥର ପାଇଁ “ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି। ଦୀର୍ଘ ୪ମାସ ପରେ ଲୋକଙ୍କ ସହ ନିଜ ମନର କଥା କହୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଦେଶବାସୀ ଦ୍ୱିତୀୟ ଥର ପାଇଁ ତାଙ୍କ ସରକାରକୁ ଭୋଟ ଦେବେ ବୋଲି ସେ ଆଶା ରଖିଥିଲେ। ଦେଶବାସୀ ମଧ୍ୟ ତାଙ୍କ ଆଶାକୁ ବଜାୟ ରଖିଥିବାରୁ ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ଏହି ଅବସରରରେ ସେ ଦେଶର ଜରୁରୀକାଳୀନ ପରିସ୍ଥିତି, ଜଳ ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ଦେଶରେ ଜଳ ସଙ୍କଟ ଆରମ୍ଭ ହୋଇଛି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ଆହ୍ୱାନ କରିଛନ୍ତି। ବିଭିନ୍ନ ପ୍ରଣାଳୀରେ ଜଳ ସଂରକ୍ଷଣ କରିହେବ ଏବଂ ନୂଆ କିଛି ଆଇଡିଆ ଥିଲେ ଏହାକୁ ଇଂରାଜୀରେ ହ୍ୟାଶଟାଗ୍ ଜନଶକ୍ତିଫରଜଳଶକ୍ତି (#JanShakti4JalShakti)ରେ ପଠାଇ ପାରିବେ ବୋଲି ସେ କହିଛନ୍ତି।

ଦେଶରେ ଚାଷ ପାଇଁ ପାଣିର ଅଭାବ ରହିଛି। ଚଳିତ ଋତୁରେ ଏଯାଏ ମାତ୍ର ୮ ପ୍ରତିଶତ ବର୍ଷା ହୋଇଛି। ଯାହାକି ଆଗାମୀ ଦିନରେ ଚାଷୀଙ୍କ ପାଇଁ ସମସ୍ୟା ଆଣିପାରେ ବୋଲି କହିଛନ୍ତି ମୋଦି। ପାଣିର ଅଭାବକୁ ଗୁରୁତ୍ୱ ରଖି ତାଙ୍କ ସରକାର ଜଲଶକ୍ତି ମନ୍ତ୍ରଣାଳୟ ନୂଆ କରି ଆରମ୍ଭ କିରଛନ୍ତି।

ତାଙ୍କ ରାଜ୍ୟ ଗୁଜରାଟର ପୋରବନ୍ଦର କିର୍ତି ବନ୍ଦରରେ ୨୦୦ ବର୍ଷ ପରେ ମଧ୍ୟ ଆଜି ବି ସେଠାରେ ବର୍ଷା ଜଳକୁ ଅଟକାଇବାର ସାମର୍ଥ୍ୟ ରହିଛି । ଏଭଳି ବ୍ୟବସ୍ଥା ଅନ୍ୟ ସ୍ଥାନରେ ହେବା ଉଚିତ୍ ବୋଲି ମୋଦି କହିଛନ୍ତି।

ଏହି ଅବସରରେ ଦେଶରେ ସୃଷ୍ଟି ହୋଇଥିବା ଜରୁରିକାଳୀନ ପରିସ୍ଥିତି କଥା ମଧ୍ୟ କହିଛନ୍ତି ମୋଦି। ଗଣତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ଆମ ମାନଙ୍କର ସାଧାରଣ ଜୀବନ ଶୈଳୀ ମଧ୍ୟ ଛିନ୍ନ ହୋଇଥାଏ। ଗଣତନ୍ତ୍ର ଆମ ଦେଶର ସଂସ୍କାର ବୋଲି ସେ କହିଛନ୍ତି। ଜରୁରିକାଳୀନ ପରିସ୍ଥିତି ସମୟରେ ସେ ଗଣତନ୍ତ୍ରର ଅଭାବକୁ ଅନୁଭବ କରିଥିଲେ, ତେଣୁ ଗତ ନିର୍ବାଚନରେ ଗଣତନ୍ତ୍ରର ସୁରକ୍ଷାକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ସହ ମୋଦି ଜନସାଧାରଣଙ୍କୁ ବହି ପଢ଼ିବାକୁ ଅନୁରୋଧ କରିଛନ୍ତି। କୌଣସି କାର୍ଯ୍ୟକ୍ରମରେ ‘ବୁକେ ନୁହେଁ ବୁକ୍ ଦେବା ଉଚିତ୍’ ବୋଲି ସେ କହିଛନ୍ତି; ଅର୍ଥାତ୍ ‘ଫୁଲତୋଡା ନୁହେଁ ପୁସ୍ତକ ଦେବା ଉଚିତ୍।