ପ୍ରଧାନମନ୍ତ୍ରୀଙ୍କ ଝିଆରି ଲୁଟର ଶିକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରି ଆଜି ଲୁଟର ଶିକାର ହୋଇଛନ୍ତି। ରାଜଧାନୀ ଦିଲ୍ଲୀର ଭିଭିଆଇପି ଏରିଆରେ ଏହି ଲୁଟ୍ ହୋଇଛି। ଲୁଟର ଶିକାର ମହିଳା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦିଙ୍କ ଝିଅ ଦମୟନ୍ତୀ ମୋଦି। ଲୁଟର ଶିକାର ହେବା ପରେ ସ୍ଥାନୀୟ ଥାନାକୁ ଯାଇ ଦମୟନ୍ତୀ ଏଫଆଇଆର ଦେଇଥିଲେ। ହେଲେ ସେ ପ୍ରଧାନମନ୍ତ୍ରୀଙ୍କ ଝିଆରି ବୋଲି ନିଜର ପରିଚୟ ଦେଇନଥିଲେ।

ହେଲେ ମିଡିଆ ରିପୋର୍ଟରୁ ଦମୟନ୍ତୀଙ୍କ ବାବଦରେ ଦିଲ୍ଲୀ ପୁଲିସ୍ ସୂଚନା ପାଇବା ପରେ ସକ୍ରିୟ ହୋଇଉଠିଛି। ଏହାପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀଙ୍କ ଝିଆରି ଦମୟନ୍ତୀ ଆଜି ପଞ୍ଜାବ ଅମୃତସରରୁ ଦିଲ୍ଲୀ ଆସିଥିଲେ। ଭିଭିଆଇପି କଲୋନୀରେ ଥିବା ଗୁଜରାଟ ସମାଜ ଭବନରେ ସେ ରହିଥାନ୍ତେ। ଅଟୋରେ ଆସି ସେ ଭବନ ଆଗରେ ଓହ୍ଲାଇଥିଲେ। ଏହାପରେ ଅଟୋ ଡ୍ରାଇଭରଙ୍କୁ ପଇସା ଦେବା ବେଳେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସି ତାଙ୍କ ପର୍ସକୁ ଝାମ୍ପି ନେଇ ଯାଇଥିଲେ।

ଥାନାରେ ଏତଲା ଦେବେ ବେଳେ ଦମୟନ୍ତୀ ଏଫଆଇଆରରେ ଉଲ୍ଲେଖ କରିଛନ୍ତି,ଚୋରି ହୋଇଥିବା ତାଙ୍କ ପର୍ସରେ ୫୬ ହଜାର ଟଙ୍କା, ଦୁଇଟି ମୋବାଇଲ ଏବଂ ଅନେକ ଡକ୍ୟୁମେଣ୍ଟସ ଥିଲା। ସନ୍ଧ୍ୟାରେ ଆଜି ବିମାନ ଯୋଗେ ଅହମଦାବାଦ ଯିବାର ଥିଲା।

ଯେଉଁ ଜାଗାରୁ ଦମୟନ୍ତୀ ଲୁଟର ଶିକାର ହୋଇଛନ୍ତି ସେଇଠୁ ଅଳ୍ପ ଦୂର ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ। କଡ଼ା ସୁରକ୍ଷା ବଳୟ ଭିତରେ ଏହି ସ୍ଥାନ ରହିଥିବା ବେଳେ ଲୁଟେରା ମାନେ କିଭଳି ଲୁଟ କରିବାରେ ସଫଳ ହେଲେ ତାହା ଏବେ ବଡ଼ ପ୍ରଶ୍ନ।