ପିଏନ୍‌ବି ଠକେଇ: ପୂର୍ବତନ ବ୍ୟାଙ୍କ୍‌ ଅଧିକାରୀଙ୍କ ସମେତ ୩ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର ୩ଶହ କୋଟି ଠକି ନେଇଥିବା ଅଭିଯୋଗରେ ମୁଖ୍ୟ
ଅଭିଯୁକ୍ତ ନିରବ ମୋଦି ଫେରାର ଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ପିଏନ୍‌ବିର ପୂର୍ବତନ ଡେପୁଟି ମ୍ୟାନେଜର ଗୋକୁଳନାଥ ଶେଟ୍ଟୀଙ୍କ ସମେତ ୩ ଜଣଙ୍କୁ ଶନିବାର ସିବିଆଇ ଗିରଫ କରିଛି। ଶେଟ୍ଟୀଙ୍କ ସମେତ ଏହି ଅଭିଯୁକ୍ତମାନେ ହେଲେ ଏସ୍‌ଡବ୍ଲୁଓ ମନୋଜ ଖରାତ୍‌ ଏବଂ ନିରବ ମୋଦି ଗ୍ରୁପ୍‌ ଅଫ୍‌ ଫାର୍ମସ୍‌ର ଅଥରାଇଜ୍‌ଡ୍‌ ସିଗ୍‌ନେଟୋରି ହେମନ୍ତ ଭଟ୍ଟ। ମୁମ୍ବାଇର ସ୍ପେସାଲ୍‌ ସିବିଆଇ କୋର୍ଟରେ ସେମାନଙ୍କୁ ହାଜର କରାଯିବ।

ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କର ୧୧, ୮୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଶେଟ୍ଟୀ ଜଣେ ସହ-ଅଭିଯୁକ୍ତ। ପଶ୍ଚିମ ମୁମ୍ବାଇର ମାଲାଡସ୍ଥିତ ରୁସ୍ତମ୍‌ଜୀ ଓଜୋନ କମ୍ପ୍ଲେକ୍ସ୍‍ସ୍ଥିତ ଶେଟ୍ଟୀଙ୍କ ଫ୍ଲାଟ୍‌କୁ ଗୁରୁବାର ଓ ଶୁକ୍ରବାର ଦିନ ଯାଇ ସିବିଆଇ ଦଳ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ପଚରା ଉଚୁରା କରିଥିଲା।  ସିବିଆଇ ପକ୍ଷରୁ କୁହାଯାଇଛି କି, ବ୍ୟାଙ୍କ୍‌ ଅଧିକାରୀ ଶେଟ୍ଟୀ ଏବଂ ଖରାତ୍‌ ଅଭିଯୁକ୍ତ କମ୍ପାନି ଏବଂ ଅନ୍ୟମାନଙ୍କ ସହ ମିଶି ବ୍ୟାଙ୍କରୁ ୪, ୮୮୬. ୭୦ କୋଟି ଟଙ୍କା ଠକି ନେଇଛନ୍ତି।