ପିଏନ୍‌ବି ଠକେଇ: ହଂକଂ ବ୍ୟାଙ୍କକୁ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ଘଟଣାରେ ହଂକଂର ୪ଟି ବ୍ୟାଙ୍କକୁ ଭାରତୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟାମକ ଗଠନ ସହ ହୋଇଥିବା ଅନିୟମିତାର ତର୍ଜମା ଲାଗି ପରାମର୍ଶ ଦିଆଯାଇଛି। ଏଥିସହ ୨୫୦କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ ବେଳେ ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ନିଯୁକ୍ତ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ପରାମର୍ଶ ଦେଇଛି।

ଏଣେ ପିଏନବି ମହାଠକେଇ ମାମଲାରେ ପୁଣି ନିରବ ମୋଦିଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ଫେବୃୟାରୀ ୨୨ତାରିଖରେ ନିର୍ଦ୍ଦେଶାଳୟରେ ହାଜର ହେବାକୁ ସମୟ ଦିଆଯାଇଥିବା ବେଳେ ସେ ହାଜର ହୋଇ ନ ଥିଲେ। ତେଣୁ ପୁଣି ସାନି ସମନ ଜାରି କରି ଆସନ୍ତା ୨୬ତାରିଖ ମଧ୍ୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିରବ ମୋଦିଙ୍କ ସହ ମେହୁଲ ଚୋକସୀଙ୍କୁ ମଧ୍ୟ ସମନ ଜାରି ହୋଇଛି। ଠକେଇ ଘଟଣା ଜଣାପଡ଼ିବା ପରେ ଗତ ୧୯ ତାରିଖ ପରଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧ ହଜାର ୪୧୫ ଜଣ ପିଏନବି କର୍ମଚାରୀଙ୍କୁ ବଦଳି କରାଯାଇଛି। ଲଗାତର ଭାବେ ବିଭିନ୍ନ ସ୍ଥାନରେ ଇଡି ଏବଂ ଆୟକର ବିଭାଗ ଚଢାଉ କରିଛି। ଏହାରି ମଧ୍ୟରେ ନିରବ ମୋଦିଙ୍କର କେବଳ ୯୪ କୋଟି ୫୨ ଲକ୍ଷ ଟଙ୍କାର ମ୍ୟୁଚୁଚାଲ ଫଣ୍ଡ ଏବଂ ସେୟାରକୁ ଅଚଳ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ସେହିପରି ଆୟକର ବିଭାଗ ନିରବ ଏବଂ ମେହୁଲ ଚୋକସୀଙ୍କ ମୋଟ୍ ୧୪୧ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିସାରିଛି।