ବଢିଲା ପିଏନବି ଠକେଇ ପରିମାଣ, ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ନୋଟିସ

ନୂଆଦିଲ୍ଲୀ: ଖୋଲୁଛି ପଂଜାବ ନେସନାଲ ବ୍ୟାଙ୍କ ଠକେଇ ଗୁମର। ବ୍ୟାଙ୍କରେ ଆଉ ଅଧିକ ୧୩୦୦କୋଟି ଟଙ୍କା ଠକେଇ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଠକେଇ ପରିମାଣ ୧୧, ୪୦୦କୋଟି ହୋଇଥିବା ଆକଳନ କରାଯାଇଛି। ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ବ୍ୟବସାୟିକ ସହଯୋଗୀ ମେହୁଲ ଚୋକସି ମିଳିତଭାବେ ଏହି ଠକେଇ କରିଥିବା ଜଣାପଡିବା ପରେ ସିବିଆଇ ପକ୍ଷରୁ ତଦନ୍ତ କରାଯାଉଛି। ଏଥିସହ ଇଡି ପକ୍ଷରୁ ମଧ୍ୟ ବିଭିନ୍ନ୍ନ ସ୍ଥାନରେ ରେଡ କରାଯାଉଛି। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ନିରବ ମୋଦି ଗ୍ରୁପ୍ ଓ ଗୀତାଞ୍ଜଳି ଜେମସ ମୁଖ୍ୟ ମେହୁଲ ଚୋକସିଙ୍କ କମ୍ପାନୀର ୧୦ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି। ସେମାନେ ବିଦେଶକୁ ପଳାଇ ଯାଇଥିବା ସିବିଆଇ ପକ୍ଷରୁ ସନ୍ଦେହ କରାଯାଉଛି। ସେପଟେ ନିରବମୋଦିଙ୍କ ବ୍ୟବସାୟିକ କାରବାର ସମ୍ପର୍କରେ ତଥ୍ୟ ହାସଲ ପାଇଁ ୬ଟି ଦେଶକୁ ଚିଠି ଲେଖିଛି ଇଡି। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ସିବିଆଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ଗିରଫ କରାଯାଇଛି।