ପିଏନବି ୧୧ ହଜାର କୋଟି ମହାଠକେଇ ତନାଘନା : ଅଭିଯୁକ୍ତ ମୋଦିଙ୍କ  ପତ୍ତା ପାଉନି ପୋଲିସ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଠକେଇ ନେଇ ତନାଘନା। ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ଶୋ’ରୁମ୍‌ ଏବଂ ଅଫିସ୍‌ରେ ଚଢ଼ଉ କରିଛି  ଇଡି ।  ୧୧, ୩୪୬ କୋଟି ଠକେଇ ମାମଲାର ମୁଖ୍ୟ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ଅନ୍ୟାନ୍ୟ ଉଧାରକାରୀଙ୍କ ଉପରେ ମଧ୍ୟ ଚଢ଼ଉ କରାଯାଇଥିବା ସୂଚନା ମିଳିଛି। ଜାଲିଆତିର ମାଷ୍ଟରମାଇଣ୍ଡ ହୀରା ଗହଣା ବ୍ୟବସାୟୀ ନିରବ ମୋଦି, ତାଙ୍କ  ସଂପର୍କୀୟ ଘର ଓ ବିଭିନ୍ନ ସ୍ଥାନରେ ଥିବା ସେମାନଙ୍କ ଅଫିସ ଉପରେ ରେଡ୍  କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ମୁମ୍ବାଇର ୪ଟି, ଦିଲ୍ଲୀର ୨ଟି ଓ ସୁରତର  ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ଏତେ ବଡ଼ ଜାଲ୍ କାରବାର  କେମିତି ହେଲା? ଏହା ପଛରେ କାହାର ହାତ ଅଛି? ଏତେ ଦିନ ଧରି  ଜାଲିଆତି ଧରାପଡ଼ିଲାନି କେମିତି? ଏସବୁ ଦିଗକୁ ନେଇ ଇଡି ଖୋଳତାଡ଼  କରୁଛି । ପିଏନ୍‌ବି ଦେଇଥିବା ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଂ କାଗଜପତ୍ରକୁ  ଜାଲିଆତି କରି ନିରବ ବିଦେଶୀ ବ୍ୟାଙ୍କରୁ ଟଙ୍କା ହଡପ୍ କରିଥିବା ଇଡି  ଅନୁମାନ କରୁଛି।  ସେପଟେ ପିଏନ୍‌ବି ଜାଲିଆତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ  କରିଛି କଂଗ୍ରେସ ।

ନିରବଙ୍କ ବେଆଇନ କାରବାର ସଂପର୍କିତ ସମସ୍ତ କାଗଜପତ୍ର  ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ କାଯର୍ୟାଳୟକୁ ଦିଆଯାଇଥିଲା । ତେବେ ଆଜି ଯାଏଁ  କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଦଳୀୟ ମୁଖପାତ୍ର ରଣଦୀପ  ସୂର୍ଯ୍ୟେଓ୍ୱାଲା ଅଭିଯୋଗ କରିଛନ୍ତି। ଏଥିସହ ଡାଭୋସ୍‌ରେ ନିଆଯାଇଥିବା ଏହି  ଫଟୋକୁ ଦେଖାଇ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିରବ କଣ କରୁଥିଲେ ବୋଲି  କଂଗ୍ରେସ୍ ପ୍ରଶ୍ନ ଉଠାଇଛି । ସେପଟେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ୨୦୧୧ରୁ  ଏହି ଠକେଇ ଜଣାପ଼ଡ଼ିଥିଲା । ସେତେବେଳେ କ୍ଷମତାରେ ଥିବା ୟୁପିଏ  ସରକାର କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।