ଭିଡିଓ ଭାଇରାଲ୍‌ ହେବା ପରେ ବନ୍ଧା ହେଲେ

ଭୋପାଲ: ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ୍ ୭ ଜଣକୁ ଗିରଫ କରିଛି। ଏହି ଭିଡିଓରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ଏହି ଅଭିଯୁକ୍ତମାନେ ନିର୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏକ ପାହାଡ଼ିଆ ଅଞ୍ଚଳରେ ସେମାନେ ବାଡ଼ିରେ ଝିଅଟିକୁ ନିସ୍ତୁକ ପିଟୁଛନ୍ତି। ଗୋଇଠା ଓ ବିଧା ବି ମାରୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ଏ ସମସ୍ତ ଅଭିଯୁକ୍ତ ହେଉଛନ୍ତି ଉକ୍ତ ଯୁବତୀଙ୍କ ନିଜ ଲୋକ। ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ ତାଙ୍କ ଭାଇ ହୋଇଥିବା ବେଳେ ଅନ୍ୟମାନେ ବନ୍ଧୁବାନ୍ଧବ। ଆଉ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଧାର ଅଞ୍ଚଳରେ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏ ଯୁବତୀ ଜଣଙ୍କ ଜଣେ ଦଳିତ ଯୁବକଙ୍କୁ ଭଲ ପାଆନ୍ତି। ଏମିତିକି ସେ ଘର ଛାଡ଼ି ତାଙ୍କ ସହିତ ପଳାଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗ ପାଇବା ପରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତା’ପରେ ପରିବାର ଲୋକେ ତାଙ୍କୁ ତାଙ୍କ ଜାତିର ଜଣେ ଯୁବକଙ୍କ ସହିତ ବାହା ହେବାକୁ ବାଧ୍ୟ କରିଥିଲେ। ଯୁବତୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ସେଥିପାଇଁ ତାଙ୍କ ଭାଇ ଓ ଅନ୍ୟ ବନ୍ଧୁବାନ୍ଧବମାନେ ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଅଭିଯୁକ୍ତମାନେ ଗତ ୨୫ ତାରିଖରେ ତାଙ୍କୁ ମାଡ଼ ମାରିଥିଲେ। ସେତେବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ମୋବାଇଲ୍‌ରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ ଏବଂ ୩ ଦିନ ପରେ ସେ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ। ଭିଡିଓଟିକୁ ଦେଖି ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।