ମହଙ୍ଗା ପଡ଼ିଲା ପୋଲିସ୍ ଟୋପିରେ ସେଲ୍ଫି: ପାର୍ଟିରୁ ଗେଟ୍ଆଉଟ୍ ହେଲେ ଛାତ୍ରନେତା

କୋଟାୟାମ:  ଆଜିକାଲି ଯୁଆଡେ  ଦେଖ ସେଆଡେ ସେଲଫି ମାନିଆ । ନେତାଠାରୁ  ଜନତା ସମସ୍ତଙ୍କୁ  ଘାରିଛି ସେଲଫି ନିଶା । ସ୍ଥାନ କାଳ ପାତ୍ର କିଛି ନାହିଁ, ଯେଉଁଠି ଚାହିଁଲେ ସେଇଠି ସେଲଫି ନିଅ । ସେଲଫି ନେବାର ମଜା କାହା ପାଇଁ ସଜା ବି ପାଲଟି ଯାଉଛି । ଏଥିପାଇଁ କାହାର ଜୀବନ ଗଲାଣି ତ କାହାର ଜୀବିକା

ନିକଟରେ କେରଳରେ ଏଭଳି ସଜା ଭୋଗିବାକୁ ପଡିଛି ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ୍ ଇଣ୍ଡିଆ (ଡି.ଓ୍ବାଇ.ଏଫ୍.ଆଇ.)ର ମିଧୁନ୍ ନାମକ ଜଣେ ଛାତ୍ରନେତାକୁ ।  ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାକୁ ଗିରଫ କରି ପୋଲିସ ଷ୍ଟେସନ ଅଣା ଯାଇଥିଲା ।  ସେଠାରେ ମିଧୁନ ସବ୍ଇନ୍ସପେକ୍ଟରଙ୍କ ପୋଲିସ୍ କ୍ୟାପ୍ ଲଗାଇ ସେଲ୍ଫି ଉଠାଇଥିଲେ, ଆଉ ସଙ୍ଗେ ସଙ୍ଗେ ସେଲଫି ଫଟୋକୁ ହ୍ବାଟ୍ସଆପରେ ସାଙ୍ଗମାନଙ୍କ ପାଖକୁ ପଠାଇଥିଲେ । ଏହି ମଉକାର ଫାଇଦା ଉଠାଇଥିଲା ବିଜେପି । ମିଧୁନ କ୍ୟାପ୍ ପିନ୍ଧିଥିବାର ଦୃଶ୍ୟକୁ ମୋବାଇଲରେ ଫଟୋ ଉଠାଇ ପବ୍ଲିକ ଦେଖିବା ପାଇଁ ପୋଷ୍ଟ କରିଥିଲେ  ବିଜେପି ଜିଲ୍ଲା ମୁଖ୍ୟ । ଏହି ଘଟଣା ପରେ  ଡିଓ୍ବାଇଏଫଆଇ ମିଧୁନକୁ ତାଙ୍କ ପଦରୁ ବହିଷ୍କାର କରିଛି । ମିଧୁନ ଜଣେ ଛାତ୍ରନେତା ଓ ଅନେକ ସଙ୍ଗଠନର ସଦସ୍ୟ । ତା ନାଁରେ ଅନେକ ସଙ୍ଗୀନ ଅପରାଧ ମାମଲା ମଧ୍ୟ ରହିଛି ।