ବିବାଦରେ ‘ଜ୍ଞାନପୀଠ’ ବିଜେତା ଲେଖକ ଗିରୀଶ କର୍ଣ୍ଣଡ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜ୍ଞାନପୀଠ ପୁରସ୍କାର ବିଜେତା ତଥା ଜଣାଶୁଣା ଲେଖକ ଗିରୀଶ କର୍ଣ୍ଣଡ୍‌ଙ୍କ ନାଁରେ ବେଙ୍ଗାଲୁରୁର ଏକ ଥାନାରେ ମାମଲା ରୁଜୁ ହୋଇଛି। ଏକ ସର୍ବସାଧାରଣ ସ୍ଥାନରେ ଆୟୋଜିତ ସଭାସ୍ଥଳର ମଞ୍ଚ ସମ୍ମୁଖରେ ବସିଥିବା ଶ୍ରୀ କର୍ଣ୍ଣଡ଼ ସେଠାରେ ନିଜକୁ ‘ସହରୀ ନକ୍ସଲ୍‌’ ଭାବେ ପ୍ରଦର୍ଶିତ କରିଥିବାରୁ ତାଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳର ଜଣେ ଆଇନଜୀବୀ ଅମୃତେଶ ଏନ୍‌.ପି. ଥାନାରେ ଏତଲା ଦାଏର କରିଛନ୍ତି।

ଦିବଙ୍ଗତ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ଶ୍ରାଦ୍ଧୋତ୍ସବରେ ଗତ ୫ ତାରିଖରେ ବେଙ୍ଗାଲୁରୁରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା।  ଏହି ସଭାକୁ ଗିରୀଶ ନିମନ୍ତ୍ରିତ ହୋଇ ଆସିଥିଲେ। ତେବେ ସଭା ମଞ୍ଚର ସମ୍ମୁଖ ଭାଗରେ ବସିଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱ ନିଜ ବେକରେ ଏକ ପ୍ଲା-କାର୍ଡ ଝୁଲାଇଥିଲେ। ଏଥିରେ ଲେଖାଥିଲା “me too, Urban Naxal”।

ତେବେ ଏପରି ପ୍ଲା-କାର୍ଡ ପ୍ରଦର୍ଶନକୁ ଅପମାନଜନକ ଓ ଦେଶବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇ ଅମୃତେଶ ନିକଟବର୍ତ୍ତୀ ଥାନାରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛନ୍ତି।

ଅମୃତେଶ ନିଜ ଅଭିଯୋଗ ପତ୍ରରେ ଯୁକ୍ତି ବାଢ଼ିଛନ୍ତି, ନିଜକୁ ଅର୍ବାନ୍‌ ନକ୍ସଲ୍‌ କହି ଗିରୀଶ ପରୋକ୍ଷରେ ଦେଶରେ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ । ଏଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।