ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ନିଖୋଜ; ପୋଲିସ୍ ଜାରି କଲା ଲୁକ୍‌ଆଉଟ୍ ନୋଟିସ୍‌

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କ ବିରୋଧରେ ହରିଆଣା ପୋଲିସ୍‌ ଲୁକ୍‌ଆଉଟ୍ ନୋଟିସ୍‌ ଜାରି କରିଛି।  ଦୁଇ ଜଣ ସ୍ୱାଧୀଙ୍କୁ ବଳାତ୍କାର କରିବା ମାମଲାରେ ରାମ ରହିମ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଦୋଷୀ ସ୍ୟାବସ୍ତ ହେବା ପରେ ତାଙ୍କୁ କୋର୍ଟରୁ ଫେରାର କରିବା ପାଇଁ ହନିପ୍ରୀତ ଯୋଜନା କରିଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରି ପୋଲିସ୍ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିଛି।

୨ଜଣ ସ୍ୱାଧୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଗଷ୍ଟ ୨୫ତାରିଖରେ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମଙ୍କୁ କୋର୍ଟରୁ ଫେରାର କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। କାରଣ ଏହି ଯୋଜନା ସଂପର୍କରେ ହରିଆଣା ପୋଲିସ୍‌କୁ ସୁରାକ ମିଳିଯାଇଥିଲା।

ଗତ ସୋମବାର ସିବିଆଇ ଜଜ୍‌ ଜଗଦୀପ ସିଂହ ରାମ ରହିମଙ୍କୁ ରୋହତକ ସ୍ଥିତ ସୁନାରିଆ ଜେଲରେ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ରାୟ ଆସିବା ପରେ ହନିପ୍ରୀତ ସୁନାରିଆ ଜେଲ ପରିସରରୁ ପଳାଇ ଯାଇଥିଲେ। ସେ ସେଠାରୁ ରୋହତକର ଆର୍ଯ୍ୟ ନଗରରେ ଜଣେ ଡେରା ପ୍ରେମୀ ସଞ୍ଜୟ ଚାୱାଲାଙ୍କ ଘରକୁ ଚାଲି ଯାଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ତା’ପର ଦିନ ସେଠାରେ କେହି ନଥିଲେ। ତାଙ୍କ ସହିତ ସଞ୍ଜୟ ଚାୱାଲାଙ୍କ ପରିବାର ମଧ୍ୟ ଫେରାର ହୋଇଯାଇଥିଲେ। କୁହାଯାଉଛି ବିଳମ୍ବିତ ରାତିରେ ସଞ୍ଜୟଙ୍କ ଘରକୁ ଦୁଇଟି ଗାଡ଼ି ଆସିଥିଲା। ତା’ପରଠୁ ସେମାନଙ୍କର ପତ୍ତା ମିଳୁନି। ହରିଆଣା ପୋଲିସ୍‌ ହନିପ୍ରୀତଙ୍କୁ ଖୋଜିବା ଜାରି ରଖିଛି।

hani

କିଏ ଏହି ହନିପ୍ରୀତ?

ହନିପ୍ରୀତଙ୍କ ପ୍ରକୃତ ନାଁ ହେଉଛି ପ୍ରିୟଙ୍କା ତନେଜା। ସେ ହରିଆଣାର ଫତେହାବାଦର ବାସିନ୍ଦା। ୧୯୯୯ ମସିହା ଫେବୃଆରୀ ୧୪ ତାରିଖରେ ବିଶ୍ୱାସ ଗୁପ୍ତାଙ୍କୁ ବିବାହ କରିଥିଲେ ହନିପ୍ରୀତ।  ରାମ ରହିମ ହିଁ ସେମାନଙ୍କ ବିବାହ କରାଇ ଥିଲେ।  କିନ୍ତୁ ହନିପ୍ରୀତିଙ୍କ ବୈବାହିକ ଜୀବନ ବେଶି ଦିନ ଚାଲି ପାରି ନଥିଲା।  ବିବାହର କିଛି ଦିନ ପରେ ହନିପ୍ରୀତି ଅଭିଯୋଗ କରିଥିଲେ ଯେ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଛନ୍ତି। ୨୦୦୯ରେ ରାମ ରହିମ ତାଙ୍କୁ ଧରମ ଝିଅ ଭାବେ ଗ୍ରହଣ କରିଥିଲେ। ରାମ ରହିମଙ୍କର ନିଜର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ଅମନପ୍ରୀତ, ଚମନପ୍ରୀତ ଓ ଜସମୀତ। ୨୦୧୧ରେ ବିଶ୍ୱାସ ଗୁପ୍ତା ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ମକଦ୍ଦମା ରୁଜୁ କରିଥିଲେ ଓ ରାମ ରହିମଙ୍କ କବ୍‌ଜାରୁ ତାଙ୍କ ପତ୍ନୀ ହନିପ୍ରୀତକୁ ମୁକୁଳାଇବାକୁ ଅନୁରୋଧ କରିଥିଲେ। ହନିପ୍ରୀତ ସହିତ ରାମ ରହିମଙ୍କ ଅବୈଧ ସଂପର୍କ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ।

ହନିପ୍ରୀତ ରାମ ରହିମଙ୍କ ଖୁବ୍ ନିକଟତର ଥିଲେ। ସେ ଡେରାର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝୁ ଥିଲେ। ସେ ରାମ ରହିମଙ୍କ ଫିଲ୍ମଗୁଡ଼ିକର ନିର୍ଦ୍ଦେଶନା ଦେଉଥିଲେ।  ସେ ‘ଏମ୍‌ଏସ୍‌ଜି: ଦ ୱାରିୟର ଲାୟନ ହାର୍ଟ’ର ବି ନିର୍ଦ୍ଦେଶନା ଦେଇଥିଲେ।

ଆହୁରି ପଢ଼ନ୍ତୁ- ରାମ ରହିମଙ୍କ ଯୌନକ୍ଷୁଧାରୁ ବର୍ତ୍ତି ନଥିଲେ ଧରମ ଝିଅ