ହୃଦୟହୀନ ପୋଲିସ୍: ଲହୁଲୁହାଣ ହୋଇ ଥାନାକୁ ଆସିଥିବା ବାଳକକୁ ଆହାଃ ପଦେ ତ କହିଲେନି, ଫେରେଇ ଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦ୍‌ ଅଞ୍ଚଳରେ ପୋଲିସର ଏକ ଅମାନବୀୟ ଚେହେରା ଦେଖିବାକୁ ମିଳିଛି। ଛୁରୀ ଆକ୍ରମଣରେ ଲହୁଲୁହାଣ ଅବସ୍ଥାରେ ମା ସହ ଏକ ଛୋଟିଆ ପିଲା ଥାନାରେ ଏତଲା କରିବାକୁ ପହଞ୍ଚିଥିଲେ। ପୂରା ଶରୀର ରକ୍ତରେ ଜୁଡୁବୁଡୁ। ବେକ ପାଖର କ୍ଷତରୁ ରକ୍ତ ବନ୍ଦ ହେବାର ନାଁ ନେଉନାହିଁ। ଛୁଆଟିର ଅବସ୍ଥା ଦେଖିଲେ ଆପଣଙ୍କ ମନ ମଧ୍ୟ କାନ୍ଦି ଉଠିବ।  କିନ୍ତୁ ଥାନାରେ ଥିବା ପୋଲିସ ଅଫିସର ପିଲାଟିର ଏଭଳି ଅବସ୍ଥା ଦେଖିଥିଲେ ମଧ୍ୟ କାହା ପାଟିରୁ ଆହା ପଦେ ବାହାରି ନଥିଲା। ଏପରିକି ଲହୁଲୁହାଣ ହୋଇଥିବା ପିଲାଟିର ଏତଲା ଗ୍ରହଣ କରିବା ପରିବର୍ତ୍ତେ କେହି କିଛି ନ ଦେଖିବା ଭଳି ବସି ରହିଥିଲେ। ଦୀର୍ଘ ଦେଢ ଘଣ୍ଟା କଷ୍ଟରେ ଜର୍ଜରିତ ହେବା ପରେ ମଧ୍ୟ କେହି ଏହି ଛୋଟିଆ ପିଲାଟିର ଗୁହାରି ଶୁଣିନଥିଲେ। ଏହି ଘଟଣା ଉତ୍ତରପ୍ରଦେଶ ପୋଲିସ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉତ୍ତରପ୍ରଦେଶର ବିଜୟନଗର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। କିଛିଦିନ ପୂର୍ବେ ଆକ୍ରମଣରେ ଆହତ ହୋଇଥିବା ଛୋଟ ପିଲାଟି ଘରପାଖରେ ଫୋନରେ କାହା ସାଙ୍ଗରେ କଥା ହେଉଥିଲେ। ଏହି ସମୟରେ ପଡୋଶୀରେ ରହୁଥିବା ଜଣେ ଯୁବକ ଛୋଟ ପିଲାଟିକୁ ଫୋନ୍‌ ମାଗିଥିଲା। ତେବେ ପିଲାଟି ଫୋନ ଦେବାକୁ ମନା କରିବାରୁ ଯୁବକ ଜଣକ ଛୁରୀରେ ପିଲାଟିର ମୁହଁ ଓ ବେକକୁ ଆକ୍ରମଣ କରିଥିଲା। ତେବେ କୌଣସିମତେ ପିଲାଟି ତା ଘରକୁ ଫେରି ନିଜ ମା’କୁ ଏ ବିଷୟରେ କହିଥିଲା। ନ୍ୟାୟ ପାଇବା ଆଶାରେ ହସ୍ପିଟାଲ ଯିବା ପୂର୍ବରୁ ମା ପହଞ୍ଚିଥିଲା ପୋଲିସ ଷ୍ଟେସନରେ। ହେଲେ ପୁଅକୁ ଧରି ଥାନାରେ ପହଞ୍ଚିବା ପରେ ପୋଲିସ ଠାରୁ ନ୍ୟାୟ ପାଇବା ଆଶା ପାଣିଫୋଟକା ପରି ମିଳେଇଗଲା। ରକ୍ତାକ୍ତ ଅବସ୍ଥାରେ ଆସିଥିବା ଛୋଟ ଛୁଆଟିକୁ ନ୍ୟାୟ ଦେବା ତ ଦୂରର କଥା ଆଡ ଆଖିରେ ମଧ୍ୟ ଚାହିଁନଥିଲେ ଥାନାରେ ଥିବା ପୋଲିସ ବାବୁ। ଏତଲା କରି‍ବାକୁ ଦୀର୍ଘ ଦେଢଘଣ୍ଟା ଧରି ଛୋଟ ଛୁଆଟି ଠିଆ ହୋଇଥିବାର ଦେଖି ଜଣେ ସହୃଦୟ ବ୍ୟକ୍ତି ଏହାର ଭିଡିଓ କରିବାରୁ ପୋଲିସ ତୁରନ୍ତ ମା ଓ ପୁଅଙ୍କୁ ଥାନା ବାହାରକୁ ଆଣି ଅଟୋର ବସାଇ ନିଜ କାମ ଶେଷ କରିଦେଲେ। ତେବେ ପୋଲିସ୍‌ର ଏଭଳି କାର୍ଯ୍ୟକଳାପ ଯୋଗୀଙ୍କ ଶାସନ ଉପରେ କଳାଛିଟା ପକାଇଛି।