କରୁଣାନିଧି ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍‌ କରୁଣାନିଧି ଏବେ ଗୁରୁତର ଅସୁସ୍ଥ। ସେ ଭୀଷଣ ଜ୍ୱର ସହ ବିଭିନ୍ନ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ନେତା କରୁଣାନିଧିଙ୍କ ଚେନ୍ନାଇ ସ୍ଥିତ ବାସଭବରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍‌ ଯୋଗେ କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ମୋଦି ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ କରୁଣାନିଧିଙ୍କ ସମ୍ପର୍କରେ ଜାଣିବା ପରେ ଏମକେ ଷ୍ଟାଲିନ୍‌ ଓ କାନିମୋଝିଙ୍କ ସହ କଥା ହୋଇଛି। ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି। ଏଥସହ ମୁଁ କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରୁଛି।’

କରୁଣାନିଧିଙ୍କ ପୁଅ ତଥା ଡିଏମ୍‌କେର କାର୍ଯ୍ୟକାରୀ ସଭାପତି ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ତାଙ୍କ ବାପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ୯୪ ବର୍ଷୀୟ କରୁଣାନିଧି ଗତକାଲିଠାରୁ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଖବର ଶୁଣି ଅଭିନେତାରୁ ନେତା ହୋଇଥିବା କମଲ ହାସନ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ ଓ ଭାଇକୋ ପ୍ରମୁଖ କରୁଣାନିଧିଙ୍କ ବାସଭବନରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧି ୫ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। କିଛି ବର୍ଷ ହେଲାଣି ସେ ଅସୁସ୍ଥ ହୋଇପଡ଼ିବାରୁ ହ୍ୱିଲଚେୟାରେ ସର୍ବସମ୍ମୁଖକୁ ଆସୁଥିଲେ।