ଏକ୍‌ଜିଟ୍‌ ପୋଲ୍‌ ଦେଖାଇ ଅଡୁଆରେ ତିନି ଟିଭି ଚ୍ୟାନେଲ୍‌, ଇସି ପଠାଇଲେ ନୋଟିସ୍‌

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ଶେଷ ହେବାକୁ ଆହୁରି ଗୋଟିଏ ପର୍ଯ୍ୟାୟ ବାକି ଥିବା ବେଳେ ଏହାର ଫଳାଫଳ ନେଇ ଏକ୍‌ଜିଟ୍ ପୋଲ୍ କରି ଫସି ଯାଇଛନ୍ତି ତିନିଟି ଘରୋଇ ଟିଭି ଚ୍ୟାନେଲ୍‌। ସେଥିପାଇଁ ନିର୍ବାଚନ କମିଶନ (ଇସି) ଗତକାଲି ଏହି ତିନି ଚ୍ୟାନେଲ୍‌କୁ ନୋଟିସ୍ ପଠାଇଛନ୍ତି।

ଦେଶରେ ଆଚରଣବିଧି ଲାଗୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏହି ତିନିଟି ଚ୍ୟାନେଲ୍‌ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ କଲେ, ସେ ନେଇ ଜବାବ ମାଗିଛନ୍ତି ନିର୍ବାଚନ କମିଶନ। ଏଥିସହ କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେ ନେଇ ମଧ୍ୟ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତିନିଟି ଟିଭି ଚ୍ୟାନେଲ୍‌ ଏକ୍‌ଜିଟ୍‌ ପୋଲ୍‌ କରି ଜନପ୍ରତିନିଧି ଆକ୍ଟ ୧୨୬(ଏ)କୁ ଉଲ୍ଲଂଘନ କରିଥିବା ଇସି ତାଙ୍କ ନୋଟିସ୍‌ରେ ଦର୍ଶାଇଛନ୍ତି।

ଟିଭି ଚ୍ୟାନେଲ ସହିତ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର କତ୍ତୃପକ୍ଷଙ୍କୁ ମଧ୍ୟ ନିର୍ବାଚନ କମିଶନ୍‌ ଏକଜିଟ୍ ପୋଲ୍‌ ସଂକ୍ରାନ୍ତୀୟ ସମସ୍ତ ଟ୍ୱିଟ୍ ତୁରନ୍ତ ଡିଲିଟ୍ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’ ୧୯ରେ ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ସେହି ଦିନ ସଂଧ୍ୟା ୬ଟାରେ ଭୋଟିଂ ଶେଷ ହେବା ପରେ ଟିଭି ଚ୍ୟାନେଲମାନେ ଏକ୍‌ଜିଟ୍‌ ପୋଲ୍‌ ରେଜଲ୍ଟ ପ୍ରକାଶ କରିପାରିବେ ବୋଲି କୁହାଯାଇଛି।