ପୋଷ୍ଟ ଅଫିସ୍‌ରେ ମିଳିବ ଡିଜିଟାଲ୍‌ ବ୍ୟାଙ୍କିଂର ସୁବିଧା

ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍‌ରେ ଆକାଉଣ୍ଟ ଖୋଲିଥିବା ଦେଶର ୩୪ କୋଟି ଗ୍ରାହକଙ୍କ ପାଇଁ ରହିଛି ଏକ ଖୁସି ଖବର। ଖୁବଶୀଘ୍ର ପୋଷ୍ଟରେ ଅଫିସ୍‌ରେ ଗ୍ରାହକଙ୍କ ପାଇଁ ଡିଜିଟାଲ୍‌ ବ୍ୟାଙ୍କିଂ ସୁବିଧା ହେବାକୁ ଯାଉଛି। କାରଣ ସରକାର ପୋଷ୍ଟ ଅଫିସ୍ ଖାତାଧାରୀଙ୍କ ଆକାଉଣ୍ଟକୁ ‘ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ’ (ଆଇପିପିବି) ସହିତ ଯୋଡ଼ିବାକୁ ଅନୁମତି ଦେଇଛନ୍ତି। ଏହାଦ୍ୱାରା ପୋଷ୍ଟ ଅଫିସ୍‌ ଖାତାଧାରୀମାନେ ସହଜରେ ଯେକୌଣସି ବ୍ୟାଙ୍କର ଆକାଉଣ୍ଟକୁ ଟଙ୍କା ପଠାଇବାର ସୁବିଧା ପାଇପାରିବେ।

ଚଳିତବର୍ଷ ମେ’ ମାସ ଆରମ୍ଭରୁ ଏହାର ପ୍ରଥମ ପର୍ଯ୍ୟାୟ ଓ ସେପ୍ଟେମ୍ବର ମାସରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଡାକ ବିଭାଗ ଦେଶର ସମସ୍ତ ୧.୫୫ ଲକ୍ଷ ଡାକ ଘରକୁ ଆଇପିପିବି ପ୍ରକ୍ରିୟାରେ ଯୋଡ଼ିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଦେଶର ୩୪ କୋଟି ପୋଷ୍ଟାଲ୍‌ ଆକାଉଣ୍ଟ ମଧ୍ୟରୁ ୧୭ କୋଟି ପୋଷ୍ଟ ଅଫିସ୍‌ ସେଭିଂ ବ୍ୟାଙ୍କ ଓ ବାକି ମାସିକ ଆୟ ଯୋଜନାରେ ଜମା ଆକାରରେ କିମ୍ବା ରିକ୍ୱାରିଂ ଡିପୋଜିଟ୍ ଖାତା ଆକାରରେ ରହିଛି।

ପୂର୍ବରୁ ଭାରତୀୟ ଡାକ ବିଭାଗ କୋର ବ୍ୟାଙ୍କିଂ ବ୍ୟବସ୍ଥା ଆରମ୍ଭ କରିଦେଇଛି। ଏହି ସୁବିଧା କେବଳ ପୋଷ୍ଟାଲ ଖାତାଧାରକଙ୍କ ପାଇଁ ଉପଲବ୍‌ଧ ରହିଛି। ପ୍ରକାଶ ଥାଉ କି ଆଇପିପିବିର ନିୟନ୍ତ୍ରଣ ପ୍ରକ୍ରିୟା ଆର୍‌ବିଆଇ ହାତରେ ରହିଛି। ଡାକ ଘରରେ ବ୍ୟାଙ୍କିଂ ସେବାର ବ୍ୟବସ୍ଥା ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିଛି। ଏହି ନୂଆ ଯୋଜନାରେ ଆଇପିପିବି ଗ୍ରାହକ ନ୍ୟାସନାଲ୍‌ ଇଲେକ୍ଟ୍ରୋନିକ ଫୁଡ୍‌ସ ଟ୍ରାନ୍ସଫର (ଏନ୍‌ଇଏଫଟି) ଓ ରିୟଲ ଟାଇମ୍‌ ଗ୍ରସ ସେଟଲ୍‌ମେଣ୍ଟ (ଆରଟିଜିଏସ୍‌) ସହିତ ଟଙ୍କା ପଠାଇବାର ଅନ୍ୟ ସୁବିଧା ମଧ୍ୟ ପାଇପାରିବେ।