ଶକ୍ତିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତକାଟ୍‌

ଭୋପାଲ: ସାରା ରାଜ୍ୟର ଶକ୍ତି ଯାହାର ନିୟନ୍ତ୍ରଣରେ ତାଙ୍କରି ସାମ୍ବାଦିକ ସମ୍ମିଳନୀରେ ପୁଣି ବିଦ୍ୟୁତକାଟ୍‌। ଆଜ୍ଞା ହଁ, ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରିୟବ୍ରତ ସିଂହଙ୍କ କ୍ଷେତ୍ରରେ। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ମନ୍ତ୍ରୀ ଏଥିପାଇଁ ହଟହଟା ହୋଇଛନ୍ତି।

ମଜାଦାର କଥା ହେଉଛି, ଗତ ୮ ମାସରେ ପାୱାର ସେକ୍ଟରରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ସଫଳତା ବାବଦରେ ବଖାଣିବାକୁ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। କ୍ଷମତାକୁ ଆସିବା ପରେ ଶକ୍ତି କ୍ଷେତ୍ରରେ କ’ଣ କଣ’ ପଦକ୍ଷେପ ନିଆଯାଇଛି, ସେ ବାବଦରେ କହିବାର ଥିଲା।


ସେ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’ଠାରେ ଏହି ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ହିଁ ଏହି ଘଟଣା ଘଟିଥିଲା। ତେବେ ମନ୍ତ୍ରୀଙ୍କୁ ଏହି ଘଟଣା ବାବଦରେ ପଚରାଯିବାରୁ ସେ କହିଛନ୍ତି, ଗୋଟିଏ ମିନିଟ୍‌ରେ ହିଁ ବିଦ୍ୟୁତ୍‌ ଫେରିଆସିଥିଲା। ଏହା ହୁଏତ ଷଡ଼ଯନ୍ତ୍ର ହୋଇଥାଇପାରେ। ଯଦି ଏହା ସାଧାରଣ ଭାବେ ପାୱାର କଟ୍‌ ହୋଇଥା’ନ୍ତା ତାହାଲେ ଗୋଟିଏ ମିନିଟ୍‌ରେ ଲାଇନ୍‌ ଆସିନଥା’ନ୍ତା।